ଆଜି କଟକର ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ୯ଟି ଏକ୍ମୋ ମେସିନ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ । କରୋନାର ଦ୍ବିତୀୟ ଲହରରେ ଫୁସଫୁସ ରୋଗରେ ଗୁରୁତର ଆକ୍ରାନ୍ତ ହୋଇଥିବା ରୋଗୀ ମାନଙ୍କ ପାଇଁ ଏକ୍ମୋ ମେସିନ୍ ଏକ ଜୀବନ ରକ୍ଷାକାରୀ ବ୍ୟବସ୍ଥା। ଓଡିଶାରେ ଏହି ସୁବିଧା ବିଶେଷ ନ ଥିବାରୁ, ଗୁରୁତର ରୋଗୀମାନଙ୍କୁ ଅନ୍ୟ ରାଜ୍ୟକୁ ଯିବାକୁ ପଡୁଥିଲା । କିନ୍ତୁ ବର୍ତ୍ତମାନ ଏହି ସୁବିଧା କଟକରେ ସରକାରୀ ଭାବରେ ଉପଲବ୍ଧ ହୋଇ ପାରିବ । ଯାହାକୁ ନେଇ ଅନେକ ରୋଗୀ ଉପକୃତ ହୋଇପାରିବେ । ସମଗ୍ର ପୂର୍ବ ଭାରତରେ ସବୁଠାରୁ ବଡ ଏକ୍ମୋ ୟୁନିଟ୍ ଏବଂ ଏକ୍ମୋ ଭଳି ବ୍ୟୟ ବହୁଳ ଚିକିତ୍ସା ବିନା ଖର୍ଚ୍ଚରେ ଯୋଗାଇବାରେ ସମଗ୍ର ଦେଶରେ ଏହା ପ୍ରଥମ ଓ ସର୍ବବୃହତ ଏବଂ ଏଥିପାଇଁ ଅଭିଜ୍ଞ ବିଶେଷଜ୍ଞ ମାନଙ୍କୁ ନିୟୋଜିତ କରାଯାଇଛି। କଟକରେ ଏହି ସୁବିଧା ପାଇଁ ରୋଗୀମାନଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଯାହାଦ୍ବାରା ରୋଗୀ ଓ ସେମାନଙ୍କ ପରିବାର ଉନ୍ନତ ଚିକିତ୍ସା ଓ ଆର୍ଥିକ ଦୃଷ୍ଟିକୋଣରୁ ଆଶ୍ବସ୍ତ ହେବାସହ ଜୀବନ ରକ୍ଷାରେ ଏହି ସେବା ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ସୂଚନାଯୋଗ୍ୟ ଯେ ଘରୋଇ ଡାକ୍ତରଖାନାରେ ଇକମୋ ଚିକିତ୍ସା ପାଇଁ ସର୍ବନିମ୍ନ ଦଶ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଥାଏ ।ସ୍ଥଳ ବିଶେଷ ରେ ଏହା ଆହୁରି ବୃଦ୍ଧି ପାଇଥାଏ ।ତେଣୁ ସରକାରୀ ସ୍ତରରେ ଏହି ଉନ୍ନତ ଚିକିତ୍ସା ସୁବିଧା ଗରିବ ତଥା ମଧ୍ୟ ବିତ୍ତ ଲୋକଙ୍କ ପାଇଁ ବିଶେଷ ଉପଯୋଗୀ ସାବ୍ୟସ୍ତ ହେବ ଵୋଲି ଆଶା କରାଯାଏ । ଏଥି ସହିତ ବିଶେଷଜ୍ଞମାନେ ତୃତୀୟ ଲହରର ସମ୍ଭାବନା ଏବଂ ଏଥିରେ ପିଲାମାନେ ଅଧିକ ସଂକ୍ରମିତ ହେବାର ଆଶଙ୍କା ପ୍ରକାଶ କରୁଥିବାରୁ, ରାଜ୍ୟ ସରକାର ଜିଲ୍ଲାସ୍ତରରେ କୋଭିଡ ହସ୍ପିଟାଲ ଗୁଡିକରେ ଶିଶୁ ଚିକିତ୍ସା ଉପରେ ମଧ୍ୟ ଗୁରୁତ୍ବ ଦେଇ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରୁଛନ୍ତି।
#CMO #Cuttack #SCB #ICMO #NNSODIA