ମୁଖ୍ୟ ଶାସନ ସଚିବ ଓ଼ ୫- ଟି ସଚିବ ଆଜି ଗସ୍ତ କରିଛନ୍ତି ସମ୍ବଲପୁର | ଏହି ଅବସରରେ ସମଲେଇ ପ୍ରକଳ୍ପର ସମୀକ୍ଷା କରିଥିଲେ ମୁଖ୍ୟ ଶାସନ ସଚିବ ଓ଼ ୫-ଟି ସଚିବ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି ) ଭି. କେ. ପାଣ୍ଡିଆନ ସମ୍ବଲପୁର ଗସ୍ତରେ ଆସି ସମଲେଇ ପ୍ରକଳ୍ପର ସମୀକ୍ଷା କରିଛନ୍ତି | ଏହି ଉଚ୍ଚ ସଚିବସ୍ତରୀୟ ଟିମରେ ୱାର୍କସ ବିଭାଗର ପ୍ରମୁଖ ସଚିବ ଭି. ଭି ଯାଦବ ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର. ଭିନିଲ କ୍ରିଷ୍ଣା ପ୍ରମୁଖ ସାମିଲ ଥିଲେ | ଏହି ଉଚ୍ଚ ସଚିବସ୍ତରୀୟ ଟିମ ସମ୍ବଲପୁରରେ ପହଂଚି ପ୍ରଥମେ ମା ସମଲେଇଙ୍କ ଦର୍ଶନ କରିଥିଲେ | ପରେ ପ୍ରକଳ୍ପ ପାଇଁ ବିସ୍ଥାପିତ ହେବାକୁ ଥିବା ଅଞ୍ଚଳକୁ ଅନୁଧ୍ୟାନ କରିଛନ୍ତି |
ଏହି ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଜନବସତିକୁ ସ୍ଥାନାନ୍ତରଣ କରି ଦୁର୍ଗାପାଲି ଠାରେ ନିର୍ମାଣଧୀନ କଲୋନୀକୁ ଅବସ୍ଥାପିତ କରାଯିବ | ସେଠାରେ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ | ଏହି ପ୍ରକଳ୍ପ ଦ୍ୱାରା ସମ୍ବଲପୁର ଜିଲ୍ଲା ଓଡିଶା ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବା ସହ ଅର୍ଥନୀତି କ୍ଷେତ୍ରରେ ସୁଦୃଢ ହେବ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଅଗଣିତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ | ମନ୍ଦିର ପାରିପାର୍ଶ ବୁଲିବା ପରେ ଟିମ ଦୁର୍ଗାପାଲି ଗସ୍ତ କରି ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେଉଥିବା ବାସିନ୍ଦାଙ୍କ ପାଇଁ ନିର୍ମାଣ କରାଯାଉଥିବା କଲୋନୀ ବୁଲି ଦେଖିଛନ୍ତି | ଏହି କାମ ତୁରନ୍ତ ସାରିବା ସହ ଅନ୍ୟାନ୍ୟ ଅନୁସଙ୍ଗିକ ବ୍ୟବସ୍ଥା ଯଥାଶୀଘ୍ର ସାରିବାକୁ ନିର୍ଦ୍ଧେଶ ଦେଇଛନ୍ତି | ସୂଚନା ଯୋଗ୍ୟ ଯେ ନିର୍ମାଣସ୍ଥଳୀରେ ବିସ୍ଥାପନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ସାରିଛି ଏବଂ ଏପ୍ରିଲ ପ୍ରଥମ ସପ୍ତାହରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ I ଆସନ୍ତା ବର୍ଷ ମଧ୍ୟଭାଗ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ କରାଯିବା ଲକ୍ଷ୍ୟ ରଖାଯାଇଛି I ଏହି ପରିଦର୍ଶନରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଡ. ସୁରେଶ ଚନ୍ଦ୍ର ଦଳେଇ, ସମ୍ବଲପୁର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ସଦର ଉପଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କ ସହିତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ |