ଦେଶରେ କମିଛି କରୋନା ସଂକ୍ରମଣ | କିନ୍ତୁ ସମ୍ପୂର୍ଣ୍ଣ ଯାଇନି ମହାମାରୀ | ଏହି ମହାମାରୀକୁ ମାତ୍ ଦେବା ପାଇଁ ସରକାର ପୁଣି ନେଇଛନ୍ତି ଏକ ବଡ ପଦକ୍ଷେପ । ଚଳିତ ମାସ ୧୦ ତାରିଖ ଅର୍ଥାତ ଆସନ୍ତା କାଲି ଠାରୁ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଦିଆଯିବ କରୋନା ଟିକାର ବୁଷ୍ଟର ଡୋଜ | କିନ୍ତୁ ଏହାର ଗୋଟିଏ ଦିନ ପୂର୍ବରୁ କୋଭିଶିଲ୍ଡ ଏବଂ କୋଭାକ୍ସିନ ନିଜର ବୁଷ୍ଟର ଡୋଜର ମୂଲ୍ୟ ହ୍ରାସ କରିଛନ୍ତି। ଶନିବାର କୋଭାକ୍ସିନ ଏବଂ କୋଭିଶିଳ୍ଡ ନିଜର ନୂଆ ଦର ଜାରି କରିଛନ୍ତି। ପୂର୍ବରୁ କୋଭିଶିଳ୍ଡର ବୁଷ୍ଟର ଡୋଜ ୬୦୦ ଟଙ୍କା ଥିବା ବେଳେ ଏବେ ଏହାକୁ ହ୍ରାସ କରାଯାଇ ୨୨୫ ଟଙ୍କା କରାଯାଇଛି। ସେହିପରି କୋଭାକ୍ସିନର ବୁଷ୍ଟର ଡୋଜର ମୂଲ୍ୟ ୧୨୦୦ ଟଙ୍କା ଥିଲା। ଏବେ ଏହାକୁ କମ କରାଯାଇ ୨୨୫ ଟଙ୍କା ରଖାଯାଇଛି।
ସେରମ୍ ଇନଷ୍ଟିଚ୍ୟୁଟର ସିଇଓ ଅଦାର୍ ପୁନାୱାଲା ଟ୍ୱିଟ୍ କରି କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପରେ ଏସଆଇଆଇ ଘରୋଇ ଡାକ୍ତରଖାନା ପାଇଁ କୋଭିଡଶିଲ୍ଡ ବୁଷ୍ଟର୍ ଡୋଜର ମୂଲ୍ୟ ୬୦୦ ରୁ ୨୨୫ ଟଙ୍କାକୁ ହ୍ରାସ କରିଛି। ସେହିପରି ଭାରତ ବାୟୋଟେକର ପ୍ରତିଷ୍ଠାତା ସୁଚିତ୍ରା ଏଲା ଟ୍ୱିଟ୍ କରି କହିଛନ୍ତି, ‘ସମସ୍ତ ବୟସ୍କଙ୍କ ପାଇଁ ବୁଷ୍ଟର ଡୋଜ ଦିଆଯିବା କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଆମେ ସ୍ୱାଗତ କରୁଛୁ।
ତେବେ ଏହି ବୁଷ୍ଟର ଡୋଜ୍ ପାଇଁ ଆଉ ପୂର୍ବଭଳି କୋୱିନ୍ ଆପ୍ରେ ରେଜିଷ୍ଟର କରିବାକୁ ପଡିବ ନାହିଁ। ଅର୍ଥାତ ବିନା ପଞ୍ଜିକରଣରରେ ଲୋକେ ବୁଷ୍ଟର ଡୋଜ ନେଇପାରିବେ। ହେଲେ ବୁଷ୍ଟର ଡୋଜ୍ କିଣିକି ନେବାକୁ ପଡି଼ବ । ବୁଷ୍ଟର ଡୋଜ ନେବାର ୯ ମାସ ପୂର୍ବରୁ ସଂପୃକ୍ତ ବ୍ୟକ୍ତି ଟିକାର ଉଭୟ ଡୋଜ ନେଇଥିବା ଆବଶ୍ୟକ। ଏହାସହ ବ୍ୟକ୍ତି ଜଣଙ୍କ ଯେଉଁ କମ୍ପାନୀର କରୋନା ଟିକା ନେଇଥିବେ ସେମାନଙ୍କୁ ସେହି କମ୍ପାନୀର ବୁଷ୍ଟର ଡୋଜ ଦିଆଯିବ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସମସ୍ତ ରାଜ୍ୟ ସ୍ୱାସ୍ଥ୍ୟ ସଚିବମାନଙ୍କ ସହ ଆଲୋଚନା କରିସାରିଛନ୍ତି ।