ଭୁବନେଶ୍ୱର : ଆସିଲା ଜୁଲାଇ ମାସର କୋଭିଡ୍ ଗାଇଡ୍ଲାଇନ୍ । ରାଜ୍ୟରେ ଆଂଶିକ ଲକ୍ଡାଉନ୍ ଜାରି ରହିବ । ୧୬ ଜୁଲାଇ ଯାଏଁ ବଢ଼ିଲା ଆଂଶିକ ଲକଡାଉନ I ମାନିବାକୁ ପଡିବ କରୋନା କଟକଣା । ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଘୋଷଣା କରିଛନ୍ତି ।
ମୁଖ୍ୟ ଶାସନ ସଚିବଙ୍କ ଘୋଷଣା ଅନୁଯାୟୀ, ରାଜ୍ୟର ସମସ୍ତ ଜିଲ୍ଲାରେ ୧ ଜୁଲାଇ ସକାଳ ୫ଟାରୁ ୧୬ ଜୁଲାଇ ସକାଳ ୫ଟା ପର୍ଯ୍ୟନ୍ତ ଆଂଶିକ ଲକଡାଉନ୍ ଜାରି ରହିବ । ରାଜ୍ୟର ୩୦ଟି ଜିଲ୍ଲାକୁ ଦୁଇଟି କାଟେଗୋରୀ ଯଥା- ‘A’ ଏବଂ ‘B’ରେ ବିଭକ୍ତ କରାଯାଇଛି । କାଟେଗୋରୀ ‘A’ରେ ରହିଛି ୨୦ଟି ଜିଲ୍ଲା । ଏହି ଜିଲ୍ଲାଗୁଡିକ ହେଲା ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡା ।
କାଟେଗୋରୀ ‘A’ରେ ଥିବା ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । ଏହି ଜିଲ୍ଲାଗୁଡିକରେ ବସ୍ ପରିବହନ ସେବା ଏବଂ ସେଲୁନ ଖୋଲିବାକୁ ଅନୁମତି ମିଳିଛି । ଇନ୍ଡୋର ଆଉଟଡୋର୍ ସୁଟିଂକୁ ମଧ୍ୟ ଏହିସବୁ ଜିଲ୍ଲାରେ ଅନୁମତି ମିଳିଛି । ସପିଙ୍ଗ ମଲ୍ ଓ ବିୟୁଟି ପାର୍ଲର, ସ୍ପା ପୂର୍ବଭଳି ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । ଏହି ଜିଲ୍ଲାଗୁଡିକରେ ସପ୍ତାହାନ୍ତ ସଟ୍ଡାଉନ୍କୁ ଉଠାଇ ଦିଆଯାଇଛି ।
ସେହିଭଳି ୫%ରୁ ଅଧିକ ସଂକ୍ରମଣ ଥିବା ୧୦ଟି ଜିଲ୍ଲାକୁ କାଟେଗୋରୀ ‘B’ରେ ରଖାଯାଇଛି । ଏହି କାଟେଗୋରୀରେ ଥିବା ଜିଲ୍ଲାରେ ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । ସେ କହିଛନ୍ତି ଯେ, ଆଂଶିକ ଲକଡାଉନକୁ ଲୋକେ ପାଳନ କରିଛନ୍ତି। ୧୭ ଜିଲ୍ଲାରେ ସଂଧ୍ୟା ୫ ଯାଏ ସବୁ ଦୋକାନ ଖୋଲିବାକୁ ଅନୁମତି ଥିଲା। ଖୁସିର କଥା ୧୭ ଜିଲ୍ଲାରେ ସଂକ୍ରମଣ ଆଉ ବଢ଼ିନାହିଁ। ବାକି ୧୩ ଜିଲ୍ଲାରୁ ୩ ଜିଲ୍ଲାରେ ପଜିଟିଭିଟି ୫%ରୁ କମ୍ ରହିଛି।