ଲୋକକଳା-କଳାକାର କାର୍ଯ୍ୟକ୍ରମରେ କୋଭିଡ଼ ନିୟମକୁ ଉଲଂଘନ କରାଯାଇଛି । ରବିବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦୁଇ ହଜାରରୁ ଅଧିକ ଜନସାଧାରଣ ଓ କଳାକାର ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ମାସ୍କ ପିନ୍ଧି ନ ଥିଲାବେଳେ ବିଶୋଧନ ସାମଗ୍ରୀ ମଧ୍ୟ ରଖାଯାଇନଥିଲା । ଏପରିକି ହଜାର ହଜାର ଲୋକ ଖୁନ୍ଦାଖୁନ୍ଦି ହୋଇ ବସିଥିବା ଦେଖା ଯାଇଥିଲା। ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ କର୍ତ୍ତୃପକ୍ଷଙ୍କ ଏଭଳି ବେପରୁଆ କାର୍ଯ୍ୟ ହିନ୍ଦୋଳ ଉପଖଣ୍ଡରେ ବୁଦ୍ଧିଜୀବି ମହଲ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି । ସରକାର ସବୁକ୍ଷେତ୍ରରେ କୋଭିଡ ନିୟମକୁ କଡ଼ାକଡି ପାଳନ କରୁଥିବାବେଳେ ଏଭଳି ଜନସମୁଦ୍ରପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜନ ପାଇଁ ବ୍ଲକ କର୍ତ୍ତୃପକ୍ଷଙ୍କୁ କିଭଳି ଅନୁମତି ମିଳିଲା ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି । ଆଗକୁ ହିନ୍ଦୋଳରେ କରୋନା ମହାମାରୀ ଭୟଙ୍କର ପରିସ୍ଥିତିର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ବୋଲି ଆଶଙ୍କା ସୃଷ୍ଟି କରିଛି। ଲୋକକଳା-କଳାକାର ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏଥିରେ ୫୨ କଳାକାର ଗୋଷ୍ଠୀ ଯୋଗ ଦେଇଥିଲେ। ଏଠାରେ କୋଭିଡ ନିୟମ ଖୋଲାଖୋଲି ଉଲଂଘନ ହୋଇଥିବାର ପରିଲକ୍ଷିତ ହୋଇଥିଲା। ହିନ୍ଦୋଳ ବିଡ଼ିଓ କ୍ଷୀରାବଧି ତନ୍ମୟା ସାହୁଙ୍କ ପୌରହିତ୍ୟରେ ବ୍ଲକ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତଙ୍କ ତତ୍ତ୍ୱାବଧାନରେ ଶନିବାର ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ହିନ୍ଦୋଳ ବିଧାୟିକା ସୀମାରଣୀ ନାୟକ, ଓଡ଼ିଶା ସଂସ୍କୃତି ବିଭାଗ ସଚିବ ସୁରେଶ ଚନ୍ଦ୍ର ଦଳେଇ, ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଢେଙ୍କାନାଳ ଜିଲ୍ଲାପାଳ ସରୋଜ ସେଠି, ହିନ୍ଦୋଳ ଉପଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ତହସିଲଦାର ସୁଶାନ୍ତ ମିଶ୍ର, ଜିଲ୍ଲାପାରିଷଦ ଅଧ୍ୟକ୍ଷ୍ୟା ମିନତୀ ନାୟକ, ଉପାଧ୍ୟକ୍ଷ କୋଦଣ୍ଡଧର ସାହୁ ପ୍ରମୁଖ ଯୋଗ ଦେଇ ଥିଲେ। ସାଂସଦ ଓ ବିଧାୟିକା ଯୋଗ୍ୟ ବିବେଚିତ କଳାକାର ଗୋଷ୍ଠୀଙ୍କୁ ପୁରସ୍କାର ବିତରଣ କରିଥିଲେ । ଏହିଭଳି କାର୍ଯ୍ୟକ୍ରମ କଳାକାରଙ୍କ ମନୋବଳ ବଢ଼ିବାରେ ସହୟକ ହେବ ବୋଲି ଅତିଥିମାନେ କହିଥିଲେ।