ଗତ କିଛି ଦିନ ହେଲା ଦେଶରେ କରୋନା ଗ୍ରାଫ୍ କମିବାରେ ଲାଗିଥିଲା | ଫଳରେ ସାରା ଦେଶରେ ଅଫିସ୍, ସ୍କୁଲ୍ ଏବଂ କଲେଜଗୁଡ଼ିକ ଦ୍ରୁତ ଗତିରେ ଖୋଲିବା ଆରମ୍ଭ ହୋଇଯାଇଥିଲା | କିନ୍ତୁ ଏବେ ପୁଣି ଟେନସନ ବଢ଼ାଇଛି କରୋନା | କରୋନାର ନୂଆ ଭାରିଆଣ୍ଟ ଏକ୍ସଇକୁ ନେଇ ବଢିଛି ଚିନ୍ତା । ଏହି ଭାରିଆଣ୍ଟର ପ୍ରଥମ ସଂକ୍ରମିତ ମୁମ୍ବାଇରୁ ଚିହ୍ନଟ ହୋଇଥିବା ବେଳେ ଆଜି ଗୁଜରାଟରେ ଆଉ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ତେବେ ଏହାକୁ କରୋନାର ଅନ୍ୟ ଭାରିଆଣ୍ଟ ଠାରୁ ଅଧିକ ସଂକ୍ରାମକ ବୋଲି କୁହାଯାଉଛି । ଗୁଜୁରାଟରୁ ଏକ୍ସଇ ଭାରିଆଣ୍ଟ ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରତ୍ୟେକ ୫ ରାଜ୍ୟରେ ସତର୍କ ସୂଚନା ଜାରି କରାଯାଇଛି।
ଗୁଜୁରାଟରୁ ଚିହ୍ନଟ ହୋଇଥିବା ଏକ୍ସଇ ଭାରିଆଣ୍ଟ ସଂକ୍ରମିତଙ୍କ ବାବଦରେ କୁହାଯାଇଛି କି ବ୍ୟକ୍ତି ଜଣଙ୍କ ମାର୍ଚ୍ଚ ୧୩ ତାରିଖରେ କରୋନା ପଜିଟିଭ ବୋଲି ଚିହ୍ନଟ ହୋଇଥିଲେ । ଗୋଟିଏ ସପ୍ତାହ ଧରି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ ଥିବା ବେଳେ ତାଙ୍କର ନମୂନା ପରୀକ୍ଷଣରୁ ସେ ଏକ୍ସଇ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦିଆଯାଇଛି ।
କରୋନାର ନୂଆ ଭାରିଆଣ୍ଟ ଏକ୍ସଇ ହେଉଛି ଓମିକ୍ରନ୍ ର ଏକ ସବ୍ ଭାରିଆଣ୍ଟ | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ହୁ’ର କହିବା ଅନୁଯାୟୀ, କରୋନାର ଦୁଇଟି ଭିନ୍ନ ପ୍ରକାରର ଭାରିଆଣ୍ଟ ମିଶିବା ଦ୍ୱାରା ଏକ୍ସଇ ଭାରିଆଣ୍ଟ ସୃଷ୍ଟି ହୋଇଛି | ଏହି ଭାଇରସ ଓମିକ୍ରନ୍ BA.1 ଏବଂ BA.2 ର ମିଶ୍ରଣରୁ ସୃଷ୍ଟି ହୋଇଛି | ଯେତେବେଳେ କୌଣସି ବ୍ୟକ୍ତି ଏକରୁ ଅଧିକ ଭାରିଆଣ୍ଟରେ ସଂକ୍ରମିତ ହୁଏ ତେବେ ତାଙ୍କୁ ଏକ୍ସଇ ଭାରିଆଣ୍ଟ ସଂକ୍ରମିତ ହେବାର ସମ୍ବାଭନା ଅଧିକ ଥାଏ | କରୋନାର ଅନ୍ୟ ଭାରିଆଣ୍ଟ ଠାରୁ ଏକ୍ସଇ ଭାରିଆଣ୍ଟ ୧୦ ପ୍ରତିଶତ ଅଧିକ ସଂକ୍ରାମକ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଏକ୍ସଇ ଭାରିଆଣ୍ଟ ପ୍ରଥମେ ବ୍ରିଟେନରେ ଚିହ୍ନଟ ହୋଇଥିଲା | ତେବେ ଏପର୍ଯ୍ୟନ୍ତ ସମୁଦାୟ ୬୩୭ ଟି ମାମଲା ଦେଖିବାକୁ ମିଳିଛି |ଏପର୍ଯ୍ୟନ୍ତ ଏକ୍ସଇ ଭାରିଆଣ୍ଟର କୌଣସି ଲକ୍ଷଣ ଜଣା ପଡିନାହିଁ | ଯେହେତୁ ଏହା ଓମିକ୍ରନ୍ ର ଦୁଇଟି ଭିନ୍ନ ପ୍ରକାରର ଭାରିଆଣ୍ଟରୁ ସୃଷ୍ଟି ହୋଇଛି ତେଣୁ ଏହାର ଲକ୍ଷଣଗୁଡ଼ିକ ଓମିକ୍ରନ୍ ଲକ୍ଷଣ ଅନୁଯାୟୀ ସମାନ ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି|
ଦେଶରେ ୫ ରାଜ୍ୟରେ ଲଗାତର ବଢ଼ିବାକୁ ଲାଗିଛି କରୋନା ମାମଲା। ଦିଲ୍ଲୀ, ହରିୟାଣା, କେରଳ, ମହାରାଷ୍ଟ୍ର ଏବଂ ମିଜୋରାମରେ ସଂକ୍ରମଣ ମାମଲା ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ସତର୍କ କରାଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଚିଠି ଲେଖି ଏହି ସବୁ ରାଜ୍ୟଙ୍କୁ ସତର୍କ କରାଯାଇଛି।ସ୍ୱାସ୍ଥ୍ୟ ସଚିବ ରାଶେଷ ଭୂଷଣ ରାଜ୍ୟଗୁଡିକୁ ଚିଠି ଲେଖିଛନ୍ତି।