ସମଗ୍ର ରାଜ୍ୟରେ ଆଜିଠୁ ଆରମ୍ଭ ହେଲା କରୋନାର ପ୍ରିକସନାରୀ ଡୋଜ ବା ବୁଷ୍ଟର ଡୋଜ । ବରିଷ୍ଠ ନାଗରିକ, ସମ୍ମୁଖ ଯୋଦ୍ଧା ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଦିଆଯାଉଛି ଏହି ତୃତୀୟ ଡୋଜ । ରାଜ୍ୟରେ ମୋଟ 17 ଲକ୍ଷ 52 ହଜାର 838 ଲୋକ ବୁଷ୍ଟର ଡୋଜ ଟୀକା ନେବେ । ଏଥିପାଇଁ ନୂଆ ପଞ୍ଜିକରଣ କରିବାକୁ ପଡିବ ନାହିଁ । କେବଳ ଆପଏଣ୍ଟମେଣ୍ଟ ନେଇ ବୁଷ୍ଟର ଡୋଜ ନେଇ ହେବ । ସ୍ଲଟ ବୁକିଂ ପାଇଁ ଉଭୟ ଅନଲାଇନ ଓ ଅଫଲାଇନ ବ୍ୟବସ୍ଥା ରହିଛି । ଯିଏ ଯେଉଁ ଟୀକା ନେଇଥିଲେ ସେମାନେ ସେହି ଟୀକା ନେବେ । ଯେଉଁମାନଙ୍କର ଦ୍ଵିତୀୟ ଡୋଜ ଟୀକା ନେବାର 9 ମାସ ବା 39 ସପ୍ତାହ ହୋଇଥିବ ସେମାନେ ଏହି ପ୍ରିକସନ ଡୋଜ ପାଇଁ ଯୋଗ୍ୟ ହେବେ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ତେବେ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ କ୍ରନିକ୍ ରୋଗରେ ଆକ୍ରାନ୍ତ ରୋଗୀ ଡାକ୍ତରଙ୍କ ପରାମର୍ଶ କ୍ରମେ ବୁଷ୍ଟର ଡୋଜ୍ ନେଇପାରିବେ।
ଜାନୁଆରୀ ଶେଷ ସୁଦ୍ଧା 5 ଲକ୍ଷ 25 ହଜାର 607 ଲୋକ ବୁଷ୍ଟର ଡୋଜ ପାଇଁ ଯୋଗ୍ୟ ହେବେ । ବର୍ତ୍ତମାନ ରାଜ୍ୟର 3616 ସେସନ ସାଇଟରେ ଟୀକାକରଣ ଚାଲିଛି । ସେଥିମଧ୍ୟରୁ 1340 ସ୍ୱତନ୍ତ୍ର ଟୀକାକରଣ କେନ୍ଦ୍ରରେ 15 ରୁ 18 ବର୍ଷର ଟୀକାକରଣ ଚାଲିଛି । ସେହିଭଳି ଦେଶରେ ପ୍ରାଥମିକ ପର୍ଯ୍ୟାୟରେ ୫.୭୫ କୋଟି ଲୋକ ବୁଷ୍ଟର ଡୋଜ୍ ନେବେ। ସେମାନଙ୍କ ମଧ୍ୟରେ ଏକ କୋଟି ସ୍ୱାସ୍ଥ୍ୟ କର୍ମୀ, ଦୁଇ କୋଟି ଫ୍ରଣ୍ଟଲାଇନ କର୍ମଚାରୀ ଏବଂ ୬୦ ବର୍ଷରୁ ଅଧିକ ବୟସ୍କ ୨.୭୫ କୋଟି ଅଛନ୍ତି।