ଦୀର୍ଘ ଦିନରୁ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡିଥିବା ରାସ୍ତା ଉପରେ ପକାଯାଇଛି ପିଚୁ | ରାସ୍ତା ଉପରେ ଘାସ ଉଠିଥିବା ବେଳେ ଗଦା ହୋଇଥିଲା ଅଳିଆ ଆବର୍ଜନା | କିନ୍ତୁ ରାସ୍ତାକୁ ସଫା କରାନଯାଇ ତାରି ଉପରେ ଆରମ୍ଭ କରାଯାଇଛି କାମ | ଫଳରେ ରାସ୍ତା କାମର ସ୍ଥାୟୀତ୍ୱ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ | ଏଭଳି ଅଭିଯୋଗ ଆସିଛି ଚୌଦ୍ୱାର ମଧ୍ୟ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ କାମ ଉପରେ | ନିମ୍ନମାନର ନିର୍ମାଣ କାର୍ଯ୍ୟ ପାଇଁ ଓଡିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ରାସ୍ତା କାମ କରୁଥିବା ଠିକା ସଂସ୍ଥା ବିରୋଧରେ ଚୌଦ୍ୱାର ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।
ଅଭିଯୋଗ ଅନୁଯାୟୀ, ଚୌଦ୍ୱାର ମଧ୍ୟ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ଓଟିମ ପରିବା ମାର୍କେଟ ପାର୍ଶ୍ୱ ସର୍ଭିସ ରୋଡ଼ କାମ ଆରମ୍ଭ ହୋଇଛି | ପ୍ରାୟ ବର୍ଷକ ପୂର୍ବରୁ ଏହି ରାସ୍ତା କାମ ଅଟକି ରହିଥିଲା | ଫଳରେ ରାସ୍ତା ଉପରେ ଅଳିଆ ଆବର୍ଜନା ପଡିଥିବା ବେଳେ ତା ଉପରେ ଛୋଟ ଛୋଟ ଘାସ ମଧ୍ୟ ଉଠି ଯାଇଥିଲା | କିନ୍ତୁ ଠିକା ସଂସ୍ଥା ଉକ୍ତ ରାସ୍ତାକୁ ସଫା ନକରି ତରବରିଆ ଭାବେ ତା ଉପରେ ପିଚୁ ଢାଳି ରାସ୍ତା ନିର୍ମାଣ କରିବାରେ ଲାଗିପଡିଛନ୍ତି | ତେଣୁ ରାସ୍ତା କାମର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଚୌଦ୍ୱାର ବାସୀ | ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁ ସ୍ଥାନୀୟ ଲୋକେ ଏବଂ ଓଡ଼ିଶା ସୂଚନା ଅଧିକାର କର୍ମୀ ଏମଏସଆଇଏଲ ଠିକା ସଂସ୍ଥା ବିରୋଧରେ ଚୌଦ୍ୱାର ଥାନାରେ ଅଭିଯୋଗ କରିଛନ୍ତି | ସରକାରୀ ଅର୍ଥର ଅପବ୍ୟବହାର ଓ ଠକାମି ଅଭିଯୋଗରେ ଠିକା ସଂସ୍ଥା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।