ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୮ଜଣ ରହିଥିବା ବେଳେ ବରଗଡ଼ ୫ଜଣ ରହିଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରୁ ୪ଜଣ, ଅନୁଗୁଳ, ଗଞ୍ଜାମ, ଝାରସୁଗୁଡ଼ା,ସମ୍ବଲପୁର ଜିଲ୍ଲାରୁ ୩ଜଣ ଲେଖାଏଁ ରହିଛନ୍ତି । ସେହିପରି ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, କଳାହାଣ୍ଡି, ନୟାଗଡ଼, ପୁରୀ ଜିଲ୍ଲାରୁ ୨ଜଣ ଲେଖାଏଁ ରହିଛନ୍ତି । କେନ୍ଦୁଝର ଜିଲ୍ଲାରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୧୯୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୨୧୮୯୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୦୨୨୭ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୮୮୭୪୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୧୯୬ରେ ପହଞ୍ଚିଥିବା ବେଳେ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ସଂଖ୍ୟା ୫୩ରେ ପହଞ୍ଚିଛି । ଏବେ ସୁଦ୍ଧା ରାଜ୍ୟରେ ୧୪୦୫୦୭୭୧ ସାମ୍ପୁଲ ଟେଷ୍ଟ୍ ହୋଇଛି ।