ନୂଆଦିଲ୍ଲୀ,୦୮.୦୪.୨୦୨୩ (ଏନଏନଏସ ଓଡ଼ିଆ) : ଭାରତରେ କରୋନା ରୋଗୀଙ୍କ ସଂଖ୍ୟାରେ ପୁଣିଥରେ ବୃଦ୍ଧି ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬,୦୫୦ ନୂଆ କୋଭିଡ୍ ମାମଲା ଚିହ୍ନଟ ହୋଇଛି । ଏହାକୁ ମିଶାଇ ସକ୍ରିୟ ମାମଲା ସଂଖ୍ୟା ୨୮,୩୦୩ରେ ପହଞ୍ଚିଛି । ସେହିପରି ଗତ ୨୪ ଘଣ୍ଟ।।ରେ ୧୪ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । ନୂଆ ମାମଲା ମଧ୍ୟରୁ ୪,୦୩୭ ମାମଲା କେବଳ ୫ଟି ରାଜ୍ୟରୁ ଚିହ୍ନଟ ହୋଇଛି । ଏଥିରେ କେରଳ ସବୁଠୁ ଆଗରେ ରହିଛି । ଏଠାରେ ୧,୯୩୬ ନୂଆ ମାମଲା ମିଳିଥିବା ବେଳେ ମହାରାଷ୍ଟ୍ରରେ ୮୦୩, ଦିଲ୍ଲୀରେ ୬୦୬, ହିମାଚଳ ପ୍ରଦେଶରେ ୩୬୭ ଏବଂ ଗୁଜରାଟରେ ୩୨୭ ମାମଲା ଚିହ୍ନଟ ହୋଇଛି ।
ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ କେରଳ, ଦିଲ୍ଲୀ, ହିମାଚଳ ପ୍ରଦେଶ, ଗୁଜରାଟ, ହରିଆନା, ପଞ୍ଜାବ ଏବଂ ଉତ୍ତର ପ୍ରଦେଶରେ ଜଣେ ଲେଖାଏଁ ରୋଗୀଙ୍କର ମୃତ୍ୟୁ ଘଟିଛି । କରୋନାର ଦୈନିକ ମାମଲାରେ ବୃଦ୍ଧି ଘଟିଥିବା ବେଳେ ପଜିଟିଭିଟି ହାର ୩.୩୯% ରହିଛି । ମାର୍ଚ୍ଚ ମାସର ୩୧ ଦିନରେ ୩୧,୯୦୨ ମାମଲା ଚିହ୍ନଟ ହୋଇଥିବା ବେଳେ ଏପ୍ରିଲ୍ ମାସର ୬ ଦିନରେ ହିଁ ୨୬,୫୨୩ ନୂଆ ମାମଲା ସାମ୍ନାକୁ ଆସିଛି । ସେହିପରି ମାର୍ଚ୍ଚରେ ହାରାହାରି ଏକ ହଜାର ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଏପ୍ରିଲ୍ରେ ଦୈନିକ ୪ ହଜାର ମାମଲା ଦେଖିବାକୁ ମିଳୁଛି । ଯଦି ସଂକ୍ରମଣ ହାର ଏପରି ରୁହେ ତେବେ ଏପ୍ରିଲ୍ ମାସରେ ୧.୨୦ ଲକ୍ଷ ନୂଆ ମାମଲା ଦେଖାଦେବା ଆଂଶକା କରାଯାଉଛି ।
ଅନ୍ୟପକ୍ଷରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟା ଶୁକ୍ରବାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସହିତ ସମୀକ୍ଷା ବୈଠକ କରିଛନ୍ତି। ଏହି ଅବସରରେ ମାଣ୍ଡଭିୟା ଏପ୍ରିଲ୍ ୧୦ ଓ ୧୧ ତାରିଖରେ ସମସ୍ତ ହସ୍ପିଟାଲ୍ ଗସ୍ତକରି ମକ୍ ଡ୍ରିଲ୍ର ସମୀକ୍ଷା କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କୁ କହିଛନ୍ତି । ସେହିପରି ଏମର୍ଜେନ୍ସି ହଟ୍ସ୍ପଟ୍ଗୁଡ଼ିକର ଚିହ୍ନଟ କରିବା ସହିତ ଟେଷ୍ଟିଂ, ଜିନୋମ୍ ସିକ୍ୱେନ୍ସିଂ ବୃଦ୍ଧ ଏବଂ ହସ୍ପିଟାଲ୍ଗୁଡ଼ିକର ଢାଞ୍ଚାଗତ ସୁବିଧାରେ ଉନ୍ନତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ କରୋନା ସମ୍ପର୍କିତ ନିୟମଗୁଡ଼ିକର କଡ଼ାକଡ଼ି ପାଳନ ପାଇଁ ମାଣ୍ଡଭିୟା ସମସ୍ତ ରାଜ୍ୟକୁ କହିଛନ୍ତି । ମାଣ୍ଡଭିୟା କହିଛନ୍ତି, ଆମକୁ ସତର୍କ ରହିବାର ଆବଶ୍ୟକତା ରହିଛି । ବର୍ତ୍ତମାନ ଦେଶରେ ଓମିକ୍ରମ୍ର ସବ୍-ଭାରିଆଣ୍ଟ୍ ଦେଶରେ ବ୍ୟାପୁଥିଲେ ମଧ୍ୟ ହସ୍ପିଟାଲ୍ରେ ଭର୍ତ୍ତି ହେବାର ଆବଶ୍ୟକତା ନାହିଁ । ଏହା ପୂର୍ବରୁ ବୁଧବାର କୋଭିଡ୍ ଇମ୍ପାୱାରମେଣ୍ଟ୍ ୱାର୍କିଂ ଗ୍ରୁପ୍ର ମଧ୍ୟ ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା ।