ଆହାର ଉପରେ ପାହାର । ସାରା ବିଶ୍ଵକୁ ଓମିକ୍ରୋନ ଚିନ୍ତା ଥିବା ବେଳେ ଓଡ଼ିଶାକୁ ଦୁଇଟି ବଡ଼ ଚିନ୍ତା ଘାରିଛି । ଗୋଟିଏ ବାତ୍ୟା ଜୱଆଦ ଆଉ ଗୋଟିଏ ଓମିକ୍ରୋନ୍ । ଠିକ୍ ଏହିପରି କରୋନାର ଦିତୀୟ ଲହର ଚାଲିଥିଲା ବେଳେ ଓଡ଼ିଶାକୁ ଆସିଥିଲା ଅମ୍ପନ । ବେଡ଼ି ଉପରେ କୋରଡ଼ା ଭଳି ଓଡ଼ିଶା ପାଇଁ ଦୈବି ଦୁର୍ବିପାକରୁ ନିସ୍ତାର ନାହିଁ । ଏବେ ଆହାର ଉପରେ ପାହାର ଭଳି କରୋନାର ତାଡନା ବେଳେ ବାତ୍ୟାର ଉତ୍ପାତ ଓଡ଼ିଶାକୁ ବ୍ୟତିବ୍ୟସ୍ତ କରି ପକାଉଛି । ଓଡ଼ିଶା ଏବେ ପ୍ରଥମ ଥର ପାଇଁ ଡିସେମ୍ବର ମାସରେ ବାତ୍ୟା ସାଙ୍ଗକୁ ବର୍ଷାର ତାଣ୍ଡବକୁ ମୁକାବିଲା କରୁଛି ଡିସେମ୍ବର ମାସରେ ଓଡ଼ିଶାର ଚାଷୀ ତାର କ୍ଷେତରେ ବର୍ଷ ତମାମର ପରିଶ୍ରମକୁ ଲଗାଇ ପୁଣି ବର୍ଷକ ପାଇଁ ଆହାର ସଞ୍ଚୟ କରିଥାଏ । ଏବେ କିନ୍ତୁ ତା’ର ସବୁ ଓଲଟା ଫଳ ମିଳୁଛି । କାରଣ ଚାଷୀ ଧାର କରଜ କରି ଚାଷ କରିଥିଲା ତାକୁ ବର୍ଷା ବାତ୍ୟା ଉଡ଼ାଇ ନେଇଗଲା । ଧାନ ସବୁ କ୍ଷେତରେ ରହିଲା ।ପଇସା ପରିଶ୍ରମ ସବୁ ମାଟିରେ ମିଶିଲା । ଏଥିପାଇଁ ଭଗବାନ ଦାୟୀ ନା ସରକାର ନା ଜନସାଧାରଣ କିଏ ଦାୟୀ ? ଓଡ଼ିଶାର ଜନସାଧାରଣ ଅକ୍ଟୋବର ୨୯କୁ ଡରୁଥିଲେ ମାତ୍ର ଏବେ ଡିସେମ୍ବର ମାସ ମଧ୍ୟ ଡରାଇ ଦେଇଛି । ଦୈବି ଦୁର୍ବିପାକରେ ମଧ୍ୟ ଓଡ଼ିଶାର ଇତିହାସ ପରିବର୍ତ୍ତନ ହୋଇଗଲ। । କେବେ ଏ ଦୁଃଖ ଘୁଞ୍ଚିବ ? ଓଡ଼ିଶାର ଜନସାଧାରଣ କେବେ କଷ୍ଟରୁ ବର୍ତ୍ତିବେ ?