ଗ୍ରୀଷ୍ମ ଦିନ ଆସିବା କ୍ଷଣି ଖରା ଦାଉରୁ ନିଜକୁ ରକ୍ଷା କରିବାକୁ ଲୋକମାନେ ଘରେ ଘରେ ଏସି, କୁଲର ଓ ଫ୍ୟାନ ଆଦିର ବ୍ୟବହାର କରିଥାନ୍ତି । ଏହା ତ ସମସ୍ତଙ୍କ ପାଇଁ ସାଧାରଣ କଥା ହୋଇଗଲାଣି । ତେବେ ନିକଟରେ ଏଭଳି ଏକ ଦୃଶ୍ୟ ସୋସିଆଲ ମିଡିଆ ଏକ୍ସରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲା ପରେ ଆପଣ ବି ଭାବିବାକୁ ବାଧ୍ୟ ହୋଇଯିବେ । ଘରେ ଘରେ କୁଲର ଚାଲୁଥିବାର ଦୃଶ୍ୟ ତ ଆପଣମାନେ ଅନେକ ସମୟରେ ଦେଖିଥିବେ । ହେଲେ ଆପଣ କେବେ ଦେଖିଛନ୍ତି କି ଖରା ସମୟରେ ଇଲେକ୍ଟି୍ରକ୍ ଟ୍ରାନ୍ସଫର୍ମରକୁ ଥଣ୍ଡା ରଖିବାକୁ କୁଲର ଚାଲୁଥିବାର । ଆଜ୍ଞା ହଁ ଦର୍ଶକବନ୍ଧୁ ଶୁଣି କି ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି କିନ୍ତୁ ସମ୍ପୂର୍ଣ୍ଣ ସତ ।
ତେବେ ଏମିତି ହିଁ ଆଶ୍ଚର୍ଯ୍ୟ ଚକିତ କରିଦେଲା ଭଳି ଦୃଶ୍ୟ ଏବେ ୟୁପିର ଲକ୍ଷ୍ନୋ ଠାରେ ଦେଖିବାକୁ ମିଳିଛି । ଇଲେକ୍ଟ୍ରିକ୍ ଟ୍ରାନ୍ସଫର୍ମରକୁ ଖରା ଦାଉରୁ ରକ୍ଷା କରିବାକୁ ତା ଚାରିପାଖେ ଲଗାଯାଇଛି କୁଲର । କାରଣ ଯେଉଁଭଳି ପ୍ରଚଣ୍ଡ ଖରା ହେଉଛି ଏଥିରୁ ମଣିଷ କଣ ଇଲେକ୍ଟ୍ରିକ୍ ଟ୍ରାନ୍ସଫର୍ମର ମଧ୍ୟ ତାତିକୁ ସହ୍ୟ କରିପାରୁନାହିଁ । ଗ୍ରୀଷ୍ମ ତାତି ଯୋଗୁଁ ଇଲେକ୍ଟ୍ରିକ୍ ଟ୍ରାନ୍ସଫର୍ମରଗୁଡିକ ମଧ୍ୟ ଜଳି ପୋଡି ପାଉଁଶ ହୋଇଯାଉଥିବାର ଦୃଶ୍ୟ ଲକ୍ଷ୍ନୋରେ ଅନେକ ସମୟରେ ଦେଖିବାକୁ ମିଳିଥାଏ । ତେଣୁ ଏଭଳି ଅଘଟଣକୁ ଏଡାଇବାକୁ ଲକ୍ଷ୍ନୋର ଜାନକିପୁରମ ସ୍ଥିତ ସାହାରା ଷ୍ଟେଟ ପାୱାର ହାଉସଠାରେ ଥିବା ଇଲେକ୍ଟ୍ରିକ ଟ୍ରାନ୍ସଫର୍ମର ର ଚାରିପାଖେ ବଡ ବଡ କୁଲର ଲଗାଯାଇଛି । ଏହା ଦ୍ୱାରା ଇଲେକ୍ଟ୍ରିକ ଟ୍ରାନ୍ସଫର୍ମର ଥଣ୍ଡା ରହିବା ସଙ୍ଗେ ସଙ୍ଗେ ଟ୍ରାନ୍ସଫର୍ମର ବ୍ଲାଷ୍ଟ ହେଲା ଭଳି ଅଘଟଣକୁ ମଧ୍ୟ ଏଡାଇ ହେବ ବୋଲି ଆଶା କରାଯାଉଛି ।