ରାସ୍ତା, ଡ୍ରେନ ଓ ଶିଶୁ ଉଦ୍ୟାନ ନିର୍ମାଣକୁ ନେଇ ମୁଣ୍ଡ ଟେକିଛି ବିବାଦ l ୱାର୍ଡରେ ହେଉଥିବା ବିକାଶ କାର୍ଯ୍ୟ ନିମନ୍ତେ ସାହି ଯୁବକଙ୍କୁ କାର୍ଯ୍ୟଦେଶ ପାଇଁ ପ୍ରତିଶୃତି ଦିଆଯାଇଥିଲା | କିନ୍ତୁ ଏବେ ଅନ୍ୟ ଜଣେ ଠିକାଦାର ଉକ୍ତ କାମ ଆରମ୍ଭ କରିଛନ୍ତି | ଯାହାକୁ ନେଇ ୱାର୍ଡବାସୀ ଏବଂ ଠିକାଦାରଙ୍କ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ହୋଇଛି l ମାଲକାନଗିରି ସଦର ମହକୁମାର ୧୮ନଂ ୱାର୍ଡରୁ ଏଭଳି ଅଭିଯୋଗ ଆସିଛି |
ନୁଆଁଗୁଡା ଅଞ୍ଚଳରେ ରହୁଥିବା ୧୮ନଂ ୱାର୍ଡବାସୀଙ୍କ କହିବା ଅନୁଯାୟୀ, ପୌର ନିର୍ବାଚନ ପୂର୍ବରୁ ମ୍ୟୁନିସପାଲଟି ତରଫରୁ ୱାର୍ଡରେ ହେଉଥିବା ବିକାଶ କାର୍ଯ୍ୟ ପାଇଁ ସାହି ଯୁବକଙ୍କୁ କାର୍ଯ୍ୟଦେଶ ପାଇଁ ପ୍ରତିଶୃତି ମିଳିଥିଲା l ଫଳରେ ଶିଶୁ ଉଦ୍ୟାନ ନିର୍ମିତ ହେବା ଜାଗାରେ ମାଟି ପକାଉଥିଲେ ୱାର୍ଡ ଯୁବକ | କିନ୍ତୁ ପୌର ନିର୍ବାଚନ ସରିବା ପରେ ତାହାର ସ୍ଥିତି ବଦଳି ଯାଇଥିଲା | ସାହି ଲୋକଙ୍କ ପରିବର୍ତ୍ତେ ଅନ୍ୟ ଜଣେ ଉକ୍ତ କାମ ଆରମ୍ଭ କରିଥିଲେ | ତେବେ ଅଙ୍ଗନବାଡି କର୍ମୀ ପ୍ରମିଳା କଚିମ ୱାର୍ଡର ଏସଡିଏ ସଦସ୍ୟଙ୍କୁ ନ ଜଣାଇ ଉକ୍ତ କାର୍ଯ୍ୟଦେଶକୁ ଅନ୍ୟ ଜଣେ ଠିକାଦାରଙ୍କୁ ବିକି ଦେଇଥିବା ସାହିବାସିନ୍ଦା ଅଭିଯୋଗ କରିଛନ୍ତି l
ଏସ.ଡି.ଏ ସ୍କିମରେ ହେଉଥିବା କାର୍ଯ୍ୟଟିରେ ଅଙ୍ଗନବାଡ଼ି ଦିଦିଙ୍କ ସମ୍ପୃକ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ୱାର୍ଡ ବାସିନ୍ଦା | ଆଗାମୀ ଦିନରେ ପ୍ରତିଶୃତି ଅନୁଯାୟୀ ୱାର୍ଡ ବାସିନ୍ଦାକୁ କାର୍ଯ୍ୟାଦେଶ ପ୍ରଦାନ କରାନଗଲେ ଅନ୍ୟ ଠିକାଦାରଙ୍କୁ ସାହିରେ କାମ କରିବାକୁ ଦେବୁନାହିଁ ବୋଲି କାଉନସିଲର ରୁଚି ଅନ୍ତିୟା, ଏସ.ଡି.ଏ ସଭାପତି ମସିଚରଣ ଗିଲାସ, ଏସଡିଏ ସମ୍ପାଦକ ବିଜୟାଦନ ବାଗ, ଏସଡିଏ ସଦସ୍ୟ ବିଧାନ ଚନ୍ଦ୍ର ବିଶ୍ୱାସ , ଏସଏଚଜି ମହାସଂଘ ସଭାପତି ଅଞ୍ଜଳି ବିଶ୍ୱାସ, ଯୁବ ସଭାପତି ଗଣେଶ କଚିମ ପ୍ରମୁଖ ଅଭିଯୋଗ ବାଢିଛନ୍ତି l