ଭୁବନେଶ୍ୱର ପରେ କଟକ ସହରକୁ ଫେରିଲା କଣ୍ଟେନ୍ମେଣ୍ଟ କଟକଣା । କଟକରେ ଗୋଟିଏ ପରିବାରର ୬ ଜଣ କରୋନା ପଜିଟିଭ୍ ଚିହ୍ନଟ ପରେ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରିଛି ସିଏମସି । କଟକ ନୂଆ ରାଉସପାଟଣାର ଗୋପବନ୍ଧୁ ବିହାରରେ ଏହି ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍ ହେବା ପରେ ସିଏମସି ଉକ୍ତ ପରିବାର ଉପରେ କଡ଼ା କଟକଣା ଲଗାଯାଇଛି । ପରିବାରର କୌଣସି ସଦସ୍ୟ ବାହାରକୁ ଯାଇପାରିବେ ନାହିଁ କି କେହି ଏମାନଙ୍କ ଘରକୁ ଆସିପାରିବେ ନାହିଁ । ପରିବାର ଲୋକଙ୍କୁ ସିଏମ୍ସି ପକ୍ଷରୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ଆଦି ଯୋଗାଇ ଦିଆଯିବ । ଏପରିକି ପରିବାର ପାଇଁ ଯୋଗାଣ ଓ ସ୍ୱାସ୍ଥ୍ୟବସ୍ଥା ଦାୟିତ୍ୱରେ ସିଏମସିର କର୍ତ୍ତୃପକ୍ଷ ରହିବେ । ସିଏମସିର ୱାର୍ଡ ଅଧିକାରୀ ରଶ୍ମିତା ପ୍ରିୟଦର୍ଶିନୀ ଯୋଗାଣ ଦାୟିତ୍ୱରେ ରହିବେ । ସେହିପରି ବିପ୍ଳବ କୁମାର ସ୍ୱାଇଁ କଣ୍ଟେନମେଣ୍ଟ ଜୋନ୍ ଭିତରେ ପରିବାର ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ବୁଝିବେ ବୋଲି ସିଏମ୍ସି ପକ୍ଷରୁ କୁହାଯାଇଛି । କିଛି ଦିନ ତଳେ ମେରିଆ ବଜାର ଅଞ୍ଚଳର ଗୋଟିଏ ପରିବାରର ୬ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହା ପରେ ଆଜି ମେରିଆ ବଜାର ନିକଟରେ ଥିବା ନୂଆ ରାଉସାପାଟଣାରୁ ମଧ୍ୟ ଗୋଟିଏ ପରିବାରର ୬ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । କଟକ ଭଳି ଜନଗହଳି ପୂର୍ଣ୍ଣ ସହରରେ ସହଜରେ କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା ଥିବା ବେଳେ ସିଏମସି ପାଇଁ ଏହା ଚିନ୍ତାର ବିଷୟ ହୋଇଛି । ଏପରି ସ୍ଥିତିରେ ସିଏମସି ଏଭଳି ଘଟଣାକୁ ହାଲୁକା ଭାବେ ନନେଇ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି । ଏହା ପୂର୍ବରୁ ଭୁବନେଶ୍ୱରର ତିନୋଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଥିଲା ବିଏମସି।