କଟକ ,(ଏନଏନଏସ ଓଡ଼ିଆ /୩୦.୦୩): ଓଡିଶା ପୁ ଲିସ କନଷ୍ଟେବଳ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି ରହିଲେ ବି, ସମସ୍ତ ନିଯୁକ୍ତି ହାଇକୋର୍ଟରେ ଚାଲିଥିବା ମାମଲାର ଫଳାଫଳ ଉପରେ ନିର୍ଭର କରିବ ବୋଲି ହାଇକୋର୍ଟ ଆବେଦନକାରୀଙ୍କ ମାମଲାର ଶୁଣାଣି କରି ଏହା ସ୍ପଷ୍ଟ କରିଛନ୍ତି । ଓଡିଶା ପୁଲିସର ଗ୍ରୁପ-ଡି ଏବଂ ଗୃହରକ୍ଷୀମାନଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ଏହା ସ୍ପଷ୍ଟ କରିଛନ୍ତି । ମାମଲା ବିବାରଣୀରୁ ଜଣା ପଡିଛି ଯେ, ଗତ ବର୍ଷ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୋଟ ୪୭୯୩ ଟି କନଷ୍ଟେବଳ ପଦବୀ ପାଇଁ ଗତ୨୦୨୨ ମସିହା ସେପ୍ଟେମ୍ବର ୩୦ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି ବିଜ୍ଞପ୍ତିରେ ଗ୍ରୁପ-ଡି ଏବଂ ଗୃହରକ୍ଷୀ ଭାବେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ୧୦ ପ୍ରତିଶତ ହାରରେ ଉଭୟ ବର୍ଗଙ୍କ ପାଇଁ ୪୭୯ ଟି ଲେଖାଏଁ ପଦବୀ ସଂରକ୍ଷିତ ରହିଥିଲା । ଉକ୍ତ ବିଜ୍ଞପ୍ତି ଅନୁଯାୟୀ ଲିଖିତ ପରୀକ୍ଷା ମଧ୍ୟ କରାଯାଇ ସାରିଛି । ତେବେ ଲିଖିତ ପରୀକ୍ଷା ପରେ କ୍ୱାଲିଫାଇଂ ମାର୍କ ଆଧାରରେ ଚୟନ କରାଯାଇ, କେତେକ ଜିଲ୍ଲାରେ ଶାରୀରିକ ପରୀକ୍ଷା ମଧ୍ୟ କରାଯାଉଛି ।
ସେହିପରି ଉକ୍ତ ବିଜ୍ଞପ୍ତିରେ କ୍ୱାଲିଫାଇଂ ମାର୍କ କଥା ସ୍ପଷ୍ଟ ହୋଇ ନଥିବାବେଳେ ପରବର୍ତ୍ତୀ ସମୟରେ ଲାଗୁ କରାଯିବାକୁ ବିରୋଧ କରି ବିଶାଳ ମୁଣ୍ଡା ଏବଂ ଅନ୍ୟମାନଙ୍କ ପକ୍ଷରୁ ହାଇକୋର୍ଟରେ ଏକାଧିକ ମାମଲା ଦାୟର ହୋଇଥିଲା । ଏହି ମାମଲାକୁ ବିଚାର ପାଇଁ ହାଇକୋର୍ଟ ଗ୍ରହଣ କରିଥିଲେ । ରାଜ୍ୟ ସରକାରଙ୍କୁ ଏନେଇ ପୂର୍ବରୁ ଜବାବ ତଲବ ମଧ୍ୟ କରିଥିଲେ । ଏହା ସହ ଏହାର ନିଯୁକ୍ତି ପ୍ରକ୍ରିୟା ,ଏହି ମାମଲା ଗୁଡିକର ଫଳାଫଳ ଉପରେ ନିର୍ଭର କରିବ ବୋଲି ମାମଲାର ଶୁଣାଣି କରି ହାଇକୋର୍ଟ ଆଜି ସ୍ପଷ୍ଟ କରିଛନ୍ତି ।
ତେବେ ଆସନ୍ତା ମାସ ତୃତୀୟ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ । ସବୁଠାରୁ ବଡ଼ କଥା ହେଉଛି, କନେଷ୍ଟବଳ ନିଯୁକ୍ତି ପ୍ରକ୍ରିୟା ପାଇଁ ଯେଉଁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା ସେଥିରେ କଟଅଫ ମାର୍କକୁ ଚାଲେଞ୍ଜ କରିଥିଲେ ଆବେଦନକାରୀ । ଯଦିଓ ରାଜ୍ୟର ଅନେକ ଜିଲ୍ଲାରେ ଏହି ଭଳି ସମାନ ଅଭିଯୋଗ ହୋଇଛି । ସେହିପରି ପୁରୀ ଜିଲ୍ଲାରେ କାର୍ଯ୍ୟରତ ଜଣେ ମହିଳା ଗୃହରକ୍ଷୀ ମଧ୍ୟ ଏହି ଅଭିଯୋଗ କରି କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । କୋର୍ଟ ମଧ୍ୟ ମହିଳା ଗୃହରକ୍ଷୀଙ୍କ ଆବେଦନକୁ ଗ୍ରହଣ କରି ଏହାର ଜବାବ ତଲବ କରିଥିଲେ । ବାସ୍ତବରେ ଏନେଇ କ’ଣ ତଥ୍ୟ ରହିଛି ସେ ସମ୍ପର୍କରେ କୋର୍ଟରେ ଉପସ୍ଥାପନ କରିବାକୁ ପୂର୍ବରୁ ହାଇକୋର୍ଟ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଦେଇଥିଲେ ।