ରାଜ୍ୟର ସମସ୍ତ ଏସପି କାର୍ଯ୍ୟାଳୟ ସମ୍ମୁଖରେ ଆଜି ରଣହୁଙ୍କାର ଦେଇଛି ପ୍ରଦେଶ କଂଗ୍ରେସ କମିଟି । କେନ୍ଦ୍ରାପଡା ଜିଲ୍ଲା ଏସ୍ ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଏକ ନିଆରା ଢଙ୍ଗରେ କଂଗ୍ରେସ ନେତା ଓ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ବିକ୍ଷୋଭ ପ୍ରଦର୍ଶନ ସମୟରେ ନେତା ଓ କର୍ମୀମାନେ ଅଣ୍ଡା ପୂଜା କରିଥିଲେ । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିରେ ସୁଧାର ନଆସିଲେ ଏଣିକି ଜିଲ୍ଲାକୁ ଯେଉଁ ନେତାମନ୍ତ୍ରୀ ଆସିବେ ସେମାନଙ୍କୁ ଅଣ୍ଡାମାଡ କରାଯିବାକୁ ଆଜି ଏସ୍ ପିଙ୍କ କାର୍ଯାଳୟ ସମ୍ମୁଖରେ ଏହି ଅଣ୍ଡାପୂଜା କରାଯାଇଥିବା କହିଛି ଜିଲ୍ଲା କଂଗ୍ରେସ । ରାଜ୍ୟରେ ଘଟିଥିବା ବିଭିର୍ନ ହତ୍ୟା ଘଟଣାରେ ସମ୍ପୃକ୍ତି ଥିବା ମନ୍ତ୍ରୀ ଏବଂ ନେତାଙ୍କୁ ଯଦି ମୁଖ୍ୟମନ୍ତ୍ରୀ ତୁରନ୍ତ ବରଖାସ୍ତ ନକରନ୍ତି ତେବେ ସେମାନଙ୍କୁ କେନ୍ଦ୍ରାପଡା ଜିଲ୍ଲା ଭିତରକୁ ପଶାଇ ଦିଆଯିବ ନାହିଁ, ଆଉ ଯଦି ସେମାନେ ଆସନ୍ତି ତେବେ କଂଗ୍ରେସ ପକ୍ଷରୁ ସେମାନଙ୍କୁ ଅଣ୍ଡା ମାଡ କରାଯିବ ବୋଲି କଂଗ୍ରେସ ଚେତାବନୀ ଦେଇଛି ।
ଗତ 10 ତାରିଖରେ ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ରାଜ୍ୟ ଛାତ୍ର କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବା ସମୟରେ ପୋଲିସ ପକ୍ଷରୁ ଆକ୍ରମଣ କରାଯାଇଥିଲା। ପୋଲିସର ଏହି ଆକ୍ରମଣରେ ବହୁ ଛାତ୍ର ନେତା ଓ କର୍ମୀ ଆହତ ହୋଇଥିଲେ। ଏହାର ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟି ନିଷ୍ପତ୍ତି କ୍ରମେ କେନ୍ଦ୍ରାପଡା ଜିଲ୍ଲା ଏସ୍ ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ ଗଣଗର୍ଜନ କରିଛି । ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତିଙ୍କ ନେତୃତ୍ୱରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ଚିନ୍ମୟ ବେହୁରା, ପିସିସି ଉପସଭାପତି ଗଣେଶ୍ବର ବେହେରା ପ୍ରମୁଖ ଉପସ୍ଥିତ ରହି ରାଜ୍ୟରେ ଆଇନଶୃଙ୍ଖଳା ଅବ୍ୟବସ୍ଥାର ପ୍ରତିବାଦ କରିଛନ୍ତି । ମମିତା ମେହେର ହତ୍ୟାକାଣ୍ଡ ଓ ମାହାଙ୍ଗା ଡବଲ ମର୍ଡର ଘଟଣାକୁ ତିବ୍ର ବିରୋଧ କରିଛନ୍ତି ।
ସେହିଭଳି ଜଗତସିଂହପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଫିସ୍ ସାମ୍ନାରେ ବିକ୍ଷୋଭ କରାଯାଇଥିଲା। ଜିଲା କଂଗ୍ରେସ କମିଟି ସଭାପତି ନଟବର ବାରିକଙ୍କ ନେତୃତ୍ୱରେ ଜିଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ମଲିକ, ନଗର କଂଗ୍ରେସ ସଭାପତି ବ୍ଲକ କଂଗ୍ରେସ ସଭାପତି ଅଦ୍ୱୈତ ଜେନା, ବାଲିକୁଦା ଏରସମାର ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର, ବିପ୍ଲନ ଚୌଧୁରୀ ପ୍ରମୁଖ ବିକ୍ଷୋଭରେ ଯୋଗ ଦେଇ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଥିଲେ। ଯଦି ରାଜ୍ୟ ସରକାର ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଜଡ଼ିତ ମନ୍ତ୍ରୀଙ୍କ ଉପରେ କୌଣସି କେଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ଆଗାମୀ ଦିନରେ କଂଗ୍ରେସ ଦଳ ରାଜରାସ୍ତାକୁ ଓଲ୍ହାଇ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି।