ଓଡିଶା କଂଗ୍ରେସର ଆଜିର ହରତାଳ ଏକ ଜୋକ୍ ରେ ପରିଣତ ହୋଇଛି । କୋଭିଡ ମହାମାରୀ ସମୟରେ ଓଡିଶା ବିଜେପି ଦ୍ୱାରା ପ୍ରାୟୋଜିତ ଓଡିଶା କଂଗ୍ରେସର ଏହି ହରତାଳ ସାଢେ ଚାରି କୋଟି ଲୋକଙ୍କ ପାଇଁ ଏକ ନିଷ୍ଠୁରତା ବୋଲି କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର । କଂଗ୍ରେସର ହରତାଳକୁ ଜବାବ ଦେଇ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ପୀଡିତାଙ୍କ ପିତା ହାତ ଯୋଡି ଏହି ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତି ନକରିବାକୁ ଏବଂ ସେମାନଙ୍କ ଘରକୁ ନ ଆସିବାକୁ ଅନୁରୋଧ କରିଥିଲେ । କିନ୍ତୁ ଓଡିଶା କଂଗ୍ରେସ ଏବଂ ଓଡିଶା ବିଜେପି ଏହାକୁ ସମ୍ମାନ ଦେଇନାହାନ୍ତି । ଯଦି ଏହି ରାଜନୈତିକ ଦଳ ନିକଟରେ କିଛି ପ୍ରମାଣ ଅଛି, ତେବେ ସେମାନେ କୋର୍ଟକୁ ଯାଇ ଏହାକୁ ଦାଖଲ କରନ୍ତୁ ଏବଂ ଆଇନ୍ ତାହା ଉପରେ ନିଷ୍ପତ୍ତି ନେବ ।
କଂଗ୍ରେସ ଦଳର କାଁ ଭାଁ କର୍ମୀ ଆଜିର ହରତାଳ ପାଇଁ ବାହାରକୁ ଆସିଥିଲେ । ଏଥିରୁ ଜଣାପଡୁଛି ଯେ ସେମାନେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାଜନୀତି କିମ୍ବା ହରତାଳରେ ଖୁସି ନାହାନ୍ତି । ଗତ କିଛି ବର୍ଷ ମଧ୍ୟରେ ଏହା ଦେଖାଯାଇଛି ଯେ ଓଡିଶା କଂଗ୍ରେସର ସ୍ଥିତି ରାଜ୍ୟରେ ଦ୍ରୁତ ଗତିରେ ହ୍ରାସ ପାଉଛି କାରଣ ଏହା ଲୋକମାନଙ୍କ ସମସ୍ୟାକୁ ନେଇ ନୁହେଁ ବରଂ ବିଜେପିର ବି-ଟିମ୍ ଭାବରେ କାର୍ଯ୍ୟ କରୁଛି । ଯେତେବେଳେ ରାହୁଲ ଗାନ୍ଧୀଙ୍କ ସମେତ ଦିଲ୍ଲୀର ସମଗ୍ର କଂଗ୍ରେସ ନେତୃତ୍ୱ ଇନ୍ଧନ ମୂଲ୍ୟ ବୃଦ୍ଧି, ଏଲ୍ପିଜି ରନ୍ଧନ ଗ୍ୟାସ, କୃଷକ ପ୍ରସଙ୍ଗ ଆଦି ଉପରେ ଚିତ୍କାର କରୁଛନ୍ତି, ସେତେବେଳେ ଓଡିଶା ବିଜେପି ପ୍ରାୟୋଜକ ଥିବାରୁ ଓଡିଶା କଂଗ୍ରେସ କିନ୍ତୁ ଏହି ସବୁ ପ୍ରସଙ୍ଗରେ ନିରବ ଥିବା ଜଣାପଡୁଛି । ଆଜି ହରତାଳର ବିଫଳତା ପ୍ରମାଣ କରିଛି ଯେ ଓଡିଶା କଂଗ୍ରେସ ଓଡିଶା ଲୋକଙ୍କ ପାଇଁ ଅପ୍ରାସଙ୍ଗିକ ହୋଇପଡିଛି । ଏହା ନ୍ୟାୟ ପାଇଁ ସଂଗ୍ରାମ ନୁହେଁ; ପିସିସି ସଭାପତି ପଦବୀ ପାଇଁ ଏହା ଓଡିଶା କଂଗ୍ରେସ ମଧ୍ୟରେ ହେଉଥିବା ଲଢେଇ ବୋଲି ଡକ୍ଟର ପାତ୍ର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ଅନ୍ୟତମ ମୁଖପାତ୍ର ଏଲିନା ଦାସ ଉପସ୍ଥିତ ଥିଲେ ।