କାର୍ତ୍ତିକେଶ୍ୱର ମେଢ଼ ଭଷାଣି ପ୍ରୋସେସନ ବେଳେ ଗୋଷ୍ଠୀ ସଂଘର୍ଷ । କମେଣ୍ଟ ମରାକୁ ନେଇ ଦୁଇ ସାହି ମଧ୍ୟରେ ଆରମ୍ଭ ହୋଇଥିଲା ଗଣ୍ଡଗୋଳ । ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟି ୧୦ ରୁ ଉର୍ଦ୍ଧ୍ବ ବ୍ୟକ୍ତି ହୋଇଛନ୍ତି ଆହତ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଚୌଦ୍ଵାର ଥାନା ଅନ୍ତର୍ଗତ ପାଇକରାପୁର ଗ୍ରାମରେ । ଆଜି ସନ୍ଧ୍ୟାରେ ପାଇକରାପୁର ଗ୍ରାମ ଉପର ସାହିର ଯୁବକ ମାନେ କାର୍ତ୍ତିକେଶ୍ୱର ମେଢ଼ର ଭଷାଣି ଉତ୍ସବ କରୁଥିଲେ । ଭଷାଣି ଶୋଭାଯାତ୍ରା ଉକ୍ତ ଗ୍ରାମର ତଳ ସାହି ବାଟେ ଯାଉଥିବା ବେଳେ କମେଣ୍ଟ ମରାକୁ ନେଇ ଦୁଇ ସାହି ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଯାଇଥିବା ଅଭିଯୋଗ ହୋଇଛି । ଦୁଇ ସାହିର ଗଣ୍ଡଗୋଳ ଉଗ୍ରରୂପ ନେଇ ଦୁଇ ପକ୍ଷର ପ୍ରାୟ କିଛି ଲୋକଙ୍କ ମୁଣ୍ଡ ଫାଟିଥିବା ବେଳେ କିଛି ରକ୍ତାକ୍ତ ହୋଇଛନ୍ତି । ଚୌଦ୍ଵାର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିବା ସହ ଗଣ୍ଡଗୋଳ କାରୀଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଛି । ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ହସପିଟାଲ ପଠାଇ ଦିଆଯାଇଛି । ଅପରପକ୍ଷେ ଥାନାର ବିନା ଅନୁମତିରେ ଏପରି ଶୋଭାଯାତ୍ରା କରାଯାଉଥିବାରୁ ବାଜାବାଲାଙ୍କୁ ମଧ୍ୟ ଅଟକ ରଖିଛି ପୋଲିସ ।