ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ପରେ ଲଘୁଚାପରେ ପରିଣତ ହୋଇ ୨୯ ତାରିଖ ବେଳକୁ ନେବ ବାତ୍ୟାର ରୂପ । ଓଡ଼ିଶା ଉପରେ ପ୍ରଭାବ ହେବ କି ନାହିଁ ମିଳିନି ସ୍ପଷ୍ଟ ସୂଚନା ।
ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ପ୍ରଭାବରେ ଆଜି ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ ।
ଏହା କ୍ରମେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ୨୯ ତାରିଖ ବେଳକୁ ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ତେବେ ଏହାର ପ୍ରଭାବ ରାଜ୍ୟ ଉପରେ ପଡ଼ିବ ନା ନାହିଁ ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।
ତେବେ ଆନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଯାସନ୍ ନିକୋଲାସଙ୍କ ଆକଳନ ଅନୁଯାୟୀ, ଆଜି ଆଣ୍ଡାମାନ ସାଗରରେ ପ୍ରବେଶ କରିବାକୁ ଥିବା ଘୂର୍ଣ୍ଣିବଳୟ ଆସନ୍ତା ସପ୍ତାହ ମଧ୍ୟଭାଗ ବେଳକୁ ଅବପାତରେ ପରିଣତ ହେବ ।
୨୯ ତାରିଖ ପରେ ଆହୁରି ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେଇପାରେ। ଏହା ରିକର୍ଭ କଲେ ବାଂଲାଦେଶ ମୁହାଁ ହେବା ସମ୍ଭାବନା ରହିଛି । ରିକର୍ଭ ନ କଲେ ଆନ୍ଧ୍ରପ୍ରଦେଶ କିମ୍ବା ତାମିଲନାଡୁ ମୁହାଁ ହେବା ସମ୍ଭାବନା ରହିଛି।