ଅଡୁଆ ଘେରରେ କମେଡିଆନ ଶ୍ୟାମ ରଙ୍ଗିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନକଲ କରି ଫସିଲେ ଶ୍ୟାମ । ଏନେଇ ବନ ବିଭାଗ ଶ୍ୟାମଙ୍କ ନାଁରେ ନୋଟିସ୍ ଜାରି କରିବା ସହ ୱାଲ୍ଡ ଲାଇଫ ଆକ୍ଟକୁ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି । ଏନେଇ ଶ୍ୟାମ ରଙ୍ଗିଲାଙ୍କ ଉପରେ ହୋଇପାରେ କାର୍ଯ୍ୟାନୁଷ୍ଠାନ । ସୂଚନା ଅନୁଯାୟୀ ଶ୍ୟାମ ପ୍ରଧାନମନ୍ତ୍ରୀଙ୍କ ପରି ଡ୍ରେସଅପ ହୋଇ ଜଙ୍ଗଲ ଯାଇ ପ୍ରଣୀମାନଙ୍କୁ ଖାଦ୍ୟ ଖୁଆଇବା ସହ ତାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହି ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ନୋଟିସ୍ ପଠାଇଛି ରାଜସ୍ଥାନ ବନ ବିଭାଗ । କିଛିଦିନ ପୂର୍ବରୁ ଶ୍ୟାମ ରଙ୍ଗିଲା ଜୟପୁରର ଝାଲାନା ଜଙ୍ଗଲକୁ ବୁଲିବାକୁ ଯାଇ ସେଠାରେ ନୀଳଗାଈକୁ ଖାଇବାକୁ ଦେବା ସହିତ ଏହାର ଭିଡିଓ ସୁଟିଂ କରି ଭାଇରାଲ୍ କରିଥିଲେ । ଏହା ପରେ ବନ ବିଭାଗ ଆକ୍ସନ ନେଇଛି ।
ଜୟପୁର ବନଅଧିକାରୀ କହିବା ମୁତାବକ, କମେଡିଆନ୍ ଶ୍ୟାମ ରଙ୍ଗିଲାଙ୍କ ୟୁଟ୍ୟୁବର ଚ୍ୟାନେଲରେ ଏପ୍ରିଲ ୧୩ ତାରିଖରେ ଝାଲାନା ଲିଓପାର୍ଡ ରିଜର୍ଭ ଫରେଷ୍ଟର ଭିଡିଓ ଅପଲୋଡ୍ କରାଯାଇଥିଲା । ଏହି ଭିଡିଓରେ ଶ୍ୟାମ ରଙ୍ଗିଲା ଗାଡ଼ିରୁ ଓହ୍ଲାଇ ନିଜ ହାତରେ ନୀଳଗାଈକୁ କିଛି ଖାଇବାକୁ ଦେଉଥିବାର ଦେଖିବାକୁ ମିଳିଛି । ବନ୍ୟପ୍ରାଣୀଙ୍କୁ ଖାଦ୍ୟ ଖୁଆଇବା ଜଙ୍ଗଲ ଆଇନ ଅଧିନିୟମ ୧୯୫୩ ଏବଂ ବନ୍ୟଜନ୍ତୁ ସଂରକ୍ଷଣ ଅଧିନିୟମ ୧୯୭୨ ନିୟମକୁ ଖୋଲାଖୋଲି ଉଲଙ୍ଘନ ହୋଇଛି ।ବନ୍ୟଜନ୍ତୁଙ୍କୁ କୌଣସି ପ୍ରକାର ଖାଦ୍ୟ ଖାଇବାକୁ ଦେଲେ ସେମାନଙ୍କର ବିଭିନ୍ନ ରୋଗ ହେବାସହ ମୃତ୍ୟୁ ମୁଖରେ ପଡ଼ିଥାନ୍ତି । ହେଲେ ସେ ସବୁ କଥାକୁ ଖାତିର୍ କରିନଥିଲେ କମେଡିଆନ୍ ଶ୍ୟାମ ।
ଶ୍ୟାମ ରଙ୍ଗିଲା ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନକଲ କରିବାକୁ ନେଇ ଟାର୍ଗେଟରେ ରହିଥିଲେ । ପ୍ରଧାନମନ୍ତ୍ରୀ ମୋଦି ଯେଉଁଭଳି ଭାବେ ଜଙ୍ଗଲକୁ ଯାଇଥିଲେ ସେହିଭଳି ଗେଟ୍ ଅପ୍ ନେଇ ସୁଟିଂ କରିଥିଲେ ଶ୍ୟାମ । ଏହି ସମୟରେ ନୀଳଗାଈକୁ ଖାଇବାକୁ ନେଇ ବିବାଦରେ ଫଶିଛନ୍ତି ଶ୍ୟାମ । ସେପଟେ ଆଇନ ଅନୁଯାୟୀ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଛନ୍ତି ବନ ଅଧିକାରୀ ।