ଆପଣାମାନେ ସମସ୍ତେ ନିରାପଦରେ ଫେରିଆସିଥିବାରୁ ମୁଁ ଆଶ୍ବସ୍ତ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୟୁକ୍ରେନରୁ ଫେରି ଆସି ନୂଆଦିଲ୍ଲୀରେ ଥିବା ଓଡିଆ ଛାତ୍ରଛାତ୍ରୀଙ୍କ ସହିତ ଅନ୍ଲାଇନ ଜରିଆରେ ଆଲୋଚନା କରି ଏହା କହିଛନ୍ତି । ଛାତ୍ରଛାତ୍ରୀମାନଙ୍କୁ ସ୍ବାଗତ କରି ୟୁକ୍ରେନରେ ରହିଯାଇଥିବା ଅନ୍ୟ ଛାତ୍ରଛାତ୍ରୀଙ୍କ ଫେରିବା ପାଇଁ ସବୁପ୍ରକାର ଉଦ୍ୟମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଭରସା ଦେଇଛନ୍ତି । ଓଡିଆ ଛାତ୍ରଛାତ୍ରୀମାନଙ୍କ ଫେରିବା ସଂପର୍କରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି | ସେ ଆଉଥରେ ମଧ୍ୟ ଏ ବିଷୟରେ କଥାବାର୍ତ୍ତା କରି ପଦକ୍ଷେପ ନେବେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।
ଛାତ୍ରଛାତ୍ରୀମାନେ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ ଯେ ସେମାନେ ସମସ୍ତେ ରୋମାନିଆ ସୀମା ଅତିକ୍ରମ କରି ଭାରତୀୟ ଅଧିକାରୀମାନଙ୍କ ସହିତ ବୁକାରେଷ୍ଟ ଯାଇଥିଲେ ଏବଂ ସେଠାରୁ ବିମାନ ଯୋଗେ ନୂଆଦିଲ୍ଲୀ ଆସିଥିଲେ । ନୂଆଦିଲ୍ଲୀରେ ଅବସ୍ଥାପିତ ରେସିଡେଣ୍ଟ କମିଶନର ସେମାନଙ୍କ ସହିତ ସବୁ ସମୟରେ ଅନ୍ଲାଇନ ଜରିଆରେ ଯୋଗାଯୋଗରେ ଥିଲେ ବୋଲି ସେମାନେ କହିଥିଲେ । ୟୁକ୍ରେନର ଅନ୍ୟ ସ୍ଥାନରେ ବିଶେଷକରି ଖାରକିବ୍ରେ ବହୁ ଓଡିଆ ଛାତ୍ରଛାତ୍ରୀ ଅଛନ୍ତି ଓ ସେମାନଙ୍କୁ ଫେରାଇ ଆଣିବାପାଇଁ ପଦକ୍ଷେପ ନେବାକୁ ସେମାନେ ଅନୁରୋଧ କରିଥିଲେ । ୟୁକ୍ରେନରୁ ଫେରୁଥିବା ପିଲାଙ୍କ ସୁବିଧା ପାଇଁ ମୁମ୍ବାଇ ବିମାନ ବନ୍ଦରରେ ହେଲ୍ପ ଡେସ୍କ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ଭୁବନେଶ୍ୱରରେ ପହଞ୍ଚିବା ପରେ ପିଲାମାନଙ୍କୁ ଓଟିଡିସି ବସ୍ ଯୋଗେ ସେମାନଙ୍କ ଘରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆଲୋଚନା ସମୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଉପସ୍ଥିତ ଥିଲେ ।