ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରଠାରେ ‘ଉତ୍କଳ ଗୌରବ ମଧୁସୂଦନ ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ର’ ଲୋକାର୍ପିତ ହୋଇଛି । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ସନ୍ଧ୍ୟାରେ ଏହାକୁ ଉଦଘାଟନ କରିଥିଲେ | ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମଧୁବାବୁ ଥିଲେ ଓଡ଼ିଆ ସ୍ୱାଭିମାନର ପ୍ରତୀକ। ତାଙ୍କ ଜୀବନୀ ହେଉଛି ଓଡ଼ିଆ ସ୍ୱାଭିମାନର ଗୌରବମୟ ଗାଥା। ଏହି ଅବସରରେ ଉତ୍କଳ ଗୌରବ ମଧୁସୂଦନ ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ର ସଂପର୍କରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଏହି ସଂଗ୍ରହାଳୟରେ ମଧୁବାବୁଙ୍କ ଏନ୍ତୁଡ଼ି ଶାଳ, ପିଲା ଦିନର ବିରଳ ଫଟୋ, ଜନ୍ମ ଜାତକ, ଢ଼ିଙ୍କି ଆଦି ବିଭିନ୍ନ ବିରଳ ଜିନିଷ ସ୍ଥାନ ପାଇଛି।
ଭିଡିଓ କନ୍ଫରେନ୍ସିଂ ଜରିଆରେ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଉତ୍କଳ ଗୌରବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଲେ ଯେ ସତ୍ୟଭାମାପୁର ସବୁ ଓଡ଼ିଆଙ୍କ ପାଇଁ ଏକ ତୀର୍ଥ କ୍ଷେତ୍ର । ଏହି ସଂଗ୍ରହାଳୟରେ ସମସ୍ତଙ୍କୁ ବିଶେଷ କରି ଯୁବପିଢିଙ୍କୁ ଓଡିଆ ସ୍ୱାଭିମାନର ସୁରକ୍ଷା ପାଇଁ ପ୍ରେରଣା ଦେଇ ଚାଲିବ । ସତ୍ୟଭାମାପୁରକୁ ଏକ ଆଦର୍ଶ ଗ୍ରାମ ରୂପେ ବିକାଶ କରାଯାଉଛି | ଏହି ଗ୍ରାମକୁ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳ ଭାବରେ ପରିଣତ କରିବା ପାଇଁ ସରକାରଙ୍କ ପଦକ୍ଷେପ ଜାରି ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ |
କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା କହିଲେ ଯେ ମଧୁବାବୁ ଥିଲେ ଓଡ଼ିଆ ଜାତିର ମୂଖ୍ୟ ପୁରୋଧା। ଆଜି ସାରା ବିଶ୍ୱରେ ଥିବା ଓଡ଼ିଆ ମାନଙ୍କ ପାଇଁ ଗର୍ବ ଓ ଗୌରବର ଦିନ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ଜିଲ୍ଲାପାଳ ଭବାନୀ ଚରଣ ଚଇନି, ସତ୍ୟଭାମାପୁର ମଧୁସୂଦନ ସାଂସ୍କୃତିକ ସଂଘର ସଭାପତି ପ୍ରଶାନ୍ତ କୁମାର ରାଉତ ଉପସ୍ଥିତ ଥିଲେ |