ଭୁବନେଶ୍ୱର(ଏନଏନଏସ୍): ବିନା ସୁଧରେ ଚାଷୀ ପାଇବେ ଋଣ । ଏଥିପାଇଁ ଦ୍ୱିତୀୟ ପର୍ୟ୍ୟାୟରେ ଚାଷୀଙ୍କୁ ସୁଧ ରିହାତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମବାୟ ବ୍ୟାଙ୍କ ଓ ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ଚାଷୀମାନଙ୍କୁ ଏହି ସୁଧ ରିହାତି ପ୍ରଦାନ କରାଯିବ । ୪୪୧. ୮୨ କୋଟି ଟଙ୍କା ଏହି ପର୍ୟ୍ୟାୟରେ ଋଣ ରିହାତି ପ୍ରଦାନ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ କୃଷକମାନଙ୍କୁ ବିନା ସୁଧରେ ୧ ଲକ୍ଷ ଟଙ୍କା ସୁବିଧା ଯୋଗାଇ ଦିଆଯାଉଥିବା ବେଳେ ୧ ରୁ ୩ ଲକ୍ଷ ଟଙ୍କା ରେ ମାତ୍ର ୨ ପ୍ରତିଶତ ଋଣ ଯୋଗାଇ ଦିଆଯାଉଛି ।
ବିନା ସୁଧରେ ଋଣ ପ୍ରଦାନ କରିବାକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷି ଆମ ବିକାଶର ଆଧାର । ସଶକ୍ତ ଓଡ଼ିଶାର ସାରଥୀ ହେଉଛନ୍ତି ଚାଷି । ଏନେଇ ଚାଷିଙ୍କୁ ସଶକ୍ତ କରିବା ପାଇଁ ସ୍ୱତନ୍ତ୍ର ବଜେଟ୍ ପ୍ରସ୍ତୁତ କରାଯାଇଛି । ୨୦୨୨-୨୩ ପାଇଁ ଆଜି ୪୦୦ କୋଟିରୁ ଅଧିକ ଟଙ୍କାର ସୁଧ ରିହାତି ପ୍ରଦାନ କରାଯାଇଛି । ଏହାଦ୍ୱାରା ୩୫ ଲକ୍ଷ ଚାଷୀ ଉପକୃତ ହେବେ । ୨୦୨୨-୨୩ ବର୍ଷ ପାଇଁ ୮୫୦ କୋଟିରୁ ଅଧିକ ଟଙ୍କାର ସୁଧ ରିହାତି ଯୋଗାଇ ଦିଆଯାଇଛି । ଏନେଇ ଚାଷୀ ଭାଇଙ୍କୁ ଋଣ ନେଇ ସୁଧ ଦେବାକୁ ପଡିଲା ନାହିଁ । କୃଷି ଋଣର ୬୦% ସମବାୟ ବ୍ୟାଙ୍କ ଓ ସମବାୟ ସମିତି ଯୋଗାଉଛି । ଚାଷୀଙ୍କ କଲ୍ୟାଣ ପାଇଁ କାମ କରୁଛି ଓ ଆଗକୁ ମଧ୍ୟ କରିଚାଲିବି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।