ସ୍ମାର୍ଟ ହେଲ୍ଥ କାର୍ଡ ଯୋଜନା ତାଲିକାରେ ସାମିଲ ହେଲା କେନ୍ଦୁଝର ଜିଲ୍ଲା । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ଜିଲ୍ଲାରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାର ପ୍ରାୟ ୪.୨୦ ଲକ୍ଷ ପରିବାର ଏହି ସୁବିଧା ପାଇବେ । କେନ୍ଦୁଝର ସହିତ ରାଜ୍ୟର ୧୩ଟି ଜିଲ୍ଲା ଏହି କାର୍ଯ୍ୟକ୍ରମରେ ସାମିଲ ହେଲା । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍ଥ କାର୍ଡ କାର୍ଯ୍ୟକ୍ରମ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସାରା ଦେଶକୁ ବାଟ ଦେଖାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲ୍ଲା ପାଇଁ ୧୪୩୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।
ରାଜ୍ୟ ସରକାର ଭଲ ପିଇବା ପାଣି ଉପରେ ଗୁରୁତ୍ବ ଦେଇଆସୁଛନ୍ତି । କେନ୍ଦୁଝରର ସବୁ ଗାଁ, ସହର ଓ ପରିବାରକୁ ଡିସେମ୍ବର ୨୦୨୨ ସୁଦ୍ଧା ପାଇପ ପାଣି ସଂଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଜନଜାତି ଭାଇ ଭଉଣୀମାନଙ୍କ ରୋଜଗାର ବୃଦ୍ଧି ପାଇଁ ରାଜ୍ୟ ସରକାର ୩୬ କୋଟି ଟଙ୍କାରେ ବୃହତ କୁକୁଡା ପାଳନ ପ୍ରକଳ୍ପ ଆରମ୍ଭ କରାଯିବ । ଏହାଦ୍ବାରା ୩୦ ହଜାର ଜନଜାତି ଭାଇ ଭଉଣୀ ଉପକାର ପାଇବେ ବୋଲି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍ମାର୍ଟ ହେଲ୍ଥ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ । ଏହାଦ୍ବାରା ଆମ ରାଜ୍ୟର ଗରିବ ଲୋକମାନେ ବିଶେଷ ସୁବିଧା ପାଇପାରିବେ ।
ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଶିଶୁ ଦିବସ ଦିନ ୧୦୦ଟି ରୂପାନ୍ତରୀତ ସ୍କୁଲର ଲୋକାର୍ପଣ ପାଇଁ ଖୁସି ବ୍ୟକ୍ତ କରିଥିଲେ। ଗୋଟିଏ ଦିନରେ ୧୦୦ଟି ସ୍କୁଲର ଲୋକାର୍ପଣ ସାରା ରାଜ୍ୟରେ ଏକ ରେକର୍ଡ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ଘଷିପୁରା ବିଧାୟକ ବଦ୍ରୀ ନାରାୟଣ ପାତ୍ର ଓ କେନ୍ଦୁଝର ପାଟଣା ବିଧାୟକ ଜଗନ୍ନାଥ ନାୟକ ଯୋଗ ଦେଇଥିଲେ।