ରାଜ୍ୟରେ ଦଶମ ଓ ଦ୍ୱାଦଶ ପରୀକ୍ଷା ହେବାର ଯଥେଷ୍ଟ ସମ୍ଭାବନା ଅଛି । ଏଥିପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତ ରହିବାକୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରାମର୍ଶ ଦେଇଛନ୍ତି । ମନ୍ତ୍ରୀ ଦାଶ କହିଛନ୍ତି, ରାଜ୍ୟରେ ଏବେ କରୋନା ସଂକ୍ରମଣ ତଳ ମୁହାଁ ହେଉଛି। ତେଣୁ ପରୀକ୍ଷା ହେବା ନେଇ ରାଜ୍ୟ ସରକାର ଯଥେଷ୍ଟ ଆଶାବାଦୀ | ରାଜ୍ୟରେ ଦଶମ ସମ୍ମେଟିଭ ପରୀକ୍ଷା ସରିଛି । ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଠିକ୍ ସମୟରେ ହୋଇ ଫଳାଫଳ ବାହାରିବ ବୋଲି ଆମେ ଆଶା କରୁଛୁ | ଯଦି ସେମିତି କିଛି ବିଶେଷ ପରିସ୍ଥିତି ସୃଷ୍ଟି ହୁଏ, ତା’ହେଲେ ଅନ୍ୟ ନିଷ୍ପତ୍ତି ନିଆଯାଇପାରେ ବୋଲି ସେ କହିଛନ୍ତି |
କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍ ଯୋଗୁ ସଂକ୍ରମଣ ବଢିବାରୁ ଗତ ଜାନୁଆରୀ ୫ରୁ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ସ୍କୁଲ ପାଠପଢା ବନ୍ଦ କରିଛନ୍ତି ସରକାର । ଜାନୁଆରୀ ୩ ତାରିଖରୁ ପ୍ରାଥମିକ ସ୍କୁଲ ଖୋଲିବା ପାଇଁ ମଧ୍ୟ ନିଷ୍ପତି ନିଆଯାଇଥିଲା । ହେଲେ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହେବାରୁ ଏହି ନିଷ୍ପତିକୁ ସ୍ଥଗିତ ରଖାଯାଇଛି । ବର୍ତ୍ତମାନ ପିଲାମାନଙ୍କ ଭବିଷ୍ୟତକୁ ନେଇ ଆଶଙ୍କା ଭିତରେ ରହିଛନ୍ତି ଅଭିଭାବକ ।