ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ | ଜାତି ଧର୍ମର ବାଡ଼ ବନ୍ଧନକୁ ମାନେ ନାହିଁ ପ୍ରେମ | ଝିଅ ମୁସଲମାନ, ପୁଅ ଖ୍ରୀଷ୍ଟିଆନ କିନ୍ତୁ ହିନ୍ଦୁ ରୀତିନୀତିରେ ହୋଇଛି ବାହାଘର | କନ୍ୟାର ସିନଥିରେ ବର ଭରିଛି ସିନ୍ଦୁର | ବର-କନ୍ୟାଙ୍କ ପଡିଛି ହାତଗଣ୍ଠି | ପରେ ସାତ ଫେରି ନେଇ ଅଗ୍ନିକୁ ସାକ୍ଷୀ ରଖି ଜନ୍ମ ଜନ୍ମର ସାଥି ହୋଇଛନ୍ତି ଦୁଇ ଭିର୍ନ ଜାତିର ଯୁବକ ଯୁବତୀ | ଏଭଳି ଏକ ନିଆରା ବିବାହ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ବରେଲିରେ | ବରେଲିସ୍ଥିତ ଅଗସ୍ତ୍ୟ ମୁନି ଆଶ୍ରମର ଆଚାର୍ଯ୍ୟ ଏବଂ ହିନ୍ଦୁ ଯୁବ ବାହିନିଙ୍କ କାର୍ଯ୍ୟକର୍ତ୍ତା ଉଭୟଙ୍କ ବିବାହ କାର୍ଯ୍ୟ ତୁଲାଇଥିଲେ |
ହିନ୍ଦୁ ଧର୍ମରେ ବିଶ୍ୱାସ ରଖୁଥିବାରୁ ଛାତ୍ରୀ ନୁର ବି ନାମ ପରିବର୍ତ୍ତନ କରି ନିଶା ରଖିଛନ୍ତି | ଉଭୟ ଦେବୀମାତାଙ୍କୁ ପୂଜା କରନ୍ତି | ନବରାତ୍ରିରେ ସେ ଦୁହେଁ ମାଙ୍କ ପୂଜା କରିବେ ବୋଲି କହିଛନ୍ତି | ନିଶା କହିଛନ୍ତି ଯେ, ସେ ସାବାଳକ | ତେଣୁ ଠିକ ଭୁଲ ବିଚାର କରିବାର ଶକ୍ତି ତାଙ୍କ ପାଖରେ ଅଛି |
ୟୁପି ପିଲିଭିତର ମୁସଲିମ ଯୁବତୀ ନୁର ବିଙ୍କ ପାଠପଢା ସମୟରେ ପୁରଣପୁରର ଖ୍ରୀଷ୍ଟିଆନ ଧର୍ମର ଅମିତଙ୍କ ସହ ପରିଚୟ ହୋଇଥିଲା | ଏହି ସମୟରେ ଦୁହେଁ ପରସ୍ପରକୁ ହୃଦୟ ଦେଇ ବସିଥିଲେ | କିଛି ଦିନ ପରେ ଉଭୟ ବିବାହ କରିବାକୁ ସ୍ଥିର କଲେ | କିନ୍ତୁ ଧର୍ମର ବନ୍ଧନ ସେମାନଙ୍କ ପ୍ରେମପଥରେ କଣ୍ଟା ସାଜିଥିଲା | ପରିବାର ସଦସ୍ୟ ମଧ୍ୟ ଉଭୟଙ୍କ ବିବାହକୁ ବିରୋଧ କରିଥିଲେ | କିନ୍ତୁ ଦୁହେଁ ଏକାଠି ବଞ୍ଚିବା ଏବଂ ମରିବାକୁ ଶପଥ ନେଇଥିଲେ। ଉଭୟେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ବିଷୟରେ ଅମିତ ତାଙ୍କ ସାଙ୍ଗମାନଙ୍କଠାରୁ ସାହାଯ୍ୟ ଲୋଡିଥିଲେ। ହିନ୍ଦୁ ଯୁବ ବାହିନୀଙ୍କ ସହାୟତାରେ ଉଭୟ ବରେଲିରେ ପହଞ୍ଚି ଆଶ୍ରମରେ ବିବାହ କରିଥିଲେ |