ଗୁଡି ସୂତା ଯୋଗୁ ବଢୁଛି ଅଘଟଣ l ଗୁଡି ସୂତାରେ ବେକ କଟି ଜଣକ ଜୀବନ ଗଲା ପରେ ଚେତିଛି ପ୍ରଶାସନ। ଗୁଡିର ମାଞ୍ଜା ସୁତାରେ କଟି ଜଗତପୁର ଥାନା ଅନ୍ତର୍ଗତ ଭୟରପୁର ଅଂଚଳର ଜଣେ ଯୁବକଙ୍କ ବେକ କଟିଯାଇ ମୃତ୍ୟୁ ହୋଇଥିବା ବେଳେ ପୁରୀରେ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ହସ୍ପିଟାଲ୍ ରେ ଭର୍ତି ହୋଇଛନ୍ତି । ତେବେ ପ୍ରଶାସନ ପକ୍ଷରୁ ମାଞ୍ଜା ସୂତା ଏବଂ ଚାଇନିଜ୍ ସୂତା ଉପରେ ନିଷେଧ କରାଯାଇଥିବାବେଳେ ଅନେକ ଦୋକାନୀ ବେଆଇନ ଭାବେ ଗୁଡି ତଥା ସୂତା ବିକ୍ରି କରୁଛନ୍ତି । ବ୍ୟବସାୟଙ୍କ ଉପରେ କଠୋର ପଦକ୍ଷେପ ସ୍ୱରୂପ ଚୌଦ୍ୱାର ଥାନା ପକ୍ଷରୁ ବିଭିନ୍ନ ସ୍ଥାନ ଯଥା କଳିଙ୍ଗ ଛକ, ଓଟିଏମ ବଜାର , ଚୂଡଖିଆ ବଜାରର ସୂତା ଦୋକାନୀ ଉପରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଗୁଡି, ନଟେଇ ଏବଂ ନିଷେଧ କରାଯାଇଥିବା ସୂତାକୁ ଜବତ କରାଯାଇଛି। ମାଞ୍ଜା ସୂତା ଏବଂ ଚାଇନିଜ୍ ସୂତା ବିକ୍ରି ଉପରେ କିଛି ବର୍ଷ ତଳେ ଜିଲ୍ଲା ପ୍ରଶାସନ ତରଫରୁ କଟକଣା ଲଗା ଯାଇଥିଲା। କଟକଣାକୁ ବେଖାତିର୍ କରି ବ୍ୟବସାୟୀମାନେ ଏସବୁ ସାମଗ୍ରୀ ବିକ୍ରି କରୁଥିଲେ। ଆଗାମୀ ଦିନରେ ମାଞ୍ଜା ସୂତା ଏବଂ ଚାଇନିଜ୍ ସୂତା ବିକ୍ରି ଏବଂ ଗୁଡ଼ି ଉଡାଉଥିବା ଲୋକମାନଙ୍କ ପ୍ରତି ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚୌଦ୍ୱାର ଥାନା ଅଧିକାରୀ ବିରଞ୍ଚି ନାରାୟଣ ପତି କହିଛନ୍ତି l