ବିଶ୍ୱର ଧନୀ ଦେଶ ତାଲିକାରେ ଦୁନିଆର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଏବେ ପଛରେ ପଡିଯାଇଛି । ବିତ୍ତଶୀଳ ଦେଶ ଆମେରିକାକୁ ପଛରେ ପକାଇ ଚୀନ ଏବେ ଏକ ନମ୍ବରରେ ରହିଛି । ବିଶ୍ୱର ସବୁଠୁ ଧନୀ ଦେଶ ଭାବେ ଉଭା ହୋଇଛି ଚୀନ୍ । ଗତ ଦୁଇ ଦଶନ୍ଧି ମଧ୍ୟରେ ତିନିଗୁଣ ବଢ଼ିଛି ଚୀନର ସମ୍ପତ୍ତି । ଧନୀ ଦେଶ ତାଲିକାରେ ଦ୍ୱିତୀୟରେ ରହିଛି ଆମେରିକା । ସାରା ବିଶ୍ୱର ବାଲାନ୍ସ ସିଟ ଉପରେ ନଜର ରଖୁଥିବା ମ୍ୟାନେଜମେଣ୍ଟ କନସଲଟାଣ୍ଟ ମ୍ୟାକିନ୍ସେ ଆଣ୍ଡ୍ କମ୍ପାନୀ ନିଜ ରିପୋର୍ଟରେ ଏହା ପ୍ରକାଶ କରିଛି । ଏହି କମ୍ପାନୀ ଦଶଟି ବିଭିନ୍ନ ଦେଶର ବାଲାନ୍ସ ସିଟ୍ ବିଶ୍ଳେଷଣ କରିଥିଲେ | ପ୍ରକାଶିତ ଏହି ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ୨୦୦୦ ମସିହାରେ ବିଶ୍ୱର ମୋଟା ସମ୍ପତ୍ତି ୧୫୬ ଆରବ (ଟ୍ରିଲିୟନ୍) ଡଲାର ଥିଲା ଯାହା ୨୦୨୦ ମସିହା ସୁଦ୍ଧା ୫୧୪ ଆରବ ଡଲାର୍ (ଟ୍ରିଲିୟନ୍) କୁ ବୃଦ୍ଧି ପାଇଛି । ଗତ ୨୦ ବର୍ଷ ମଧ୍ୟରେ ସାରା ବିଶ୍ୱର ସମ୍ପତ୍ତି ୩ ଗୁଣା ବଢିଥିବାବେଳେ ଏଥିରୁ କେବଳ ଚୀନର ସମ୍ପତ୍ତି ଏକ ତୃତୀୟାଂଶ ।
ରିପୋର୍ଟରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ, ସବୁଠାରୁ ଧନୀ ଦେଶ ଚୀନ ଓ ଦ୍ୱିତୀୟକୁ ଖସି ଆସିଥିବା ଆମେରିକା ଧନର ଏକ ବଡ଼ ଅଂଶ କେବଳ କିଛି ଧନୀ ଶ୍ରେଣୀର ବ୍ୟକ୍ତିଙ୍କ ପାଖରେ ରହିଛି । ଏହି ଦୁଇ ଦେଶର ଦଶ ପ୍ରତିଶତ ଜନସଂଖ୍ୟାଙ୍କ ପାଖରେ ସବୁଠାରୁ ଅଧିକ ଧନ ରହିଛି । ଫଳରେ ଧନୀ ଓ ଗରୀବ ରାଷ୍ଟ୍ରଙ୍କ ମଧ୍ୟରେ ତାରତମ୍ୟ ବଢିବାରେ ଲାଗିଛି । ୨୦୦୦ ମସିହାରେ ଚାଇନାର ମୋଟ ସମ୍ପତ୍ତି ୭ ଟ୍ରିଲିୟନ୍ ଡଲାର ଥିଲା, ଯାହା ୨୦୨୦ ମସିହାରେ ଦ୍ରୁତ ଗତିରେ ବୃଦ୍ଧି ପାଇ ୧୨୦ ଟ୍ରିଲିୟନ ଡ଼ଲାରରେ ପହଞ୍ଚିଛି ।