ପ୍ରଚଣ୍ଡ ଖରା ଯୋଗୁ କାମ ନଥିଲେ ଘରୁ ନବାହାରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି | ଅସହ୍ୟ ତାତି ଯୋଗୁ ସରକାର ୫ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରିଛନ୍ତି | କିନ୍ତୁ ଉପାନ୍ତ ଅଞ୍ଚଳରେ ମାତ୍ର କିଛି ଟଙ୍କା ପାଇଁ ମୁଣ୍ଡଫଟା ଖରାରେ କାମ କରୁଛନ୍ତି ଶିଶୁ | ୪୦ଡିଗ୍ରୀରୁ ଅଧିକ ତାପମାତ୍ରାରେ କୁନି କୁନି ଶିଶୁମାନେ ଶ୍ରମିକ ଭାବେ କାମ କରୁଥିବା ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଆଦିବାସୀ ବହୁଳ ପଡିଆ ବ୍ଲକ ଅନ୍ତର୍ଗତ ତୁମ୍ଭାଗୁଡା ଗ୍ରାମରେ। ଦୁର୍ଗମ ଅଞ୍ଚଳରେ ପିଲାମାନେ ଦ୍ୱିପହର ସମୟରେ କେନ୍ଦୁପତ୍ର ଫଡ଼ିରେ କେନ୍ଦୁପତ୍ର ବିଡ଼ା ସଜାଡ଼ିବା, ଓଲଟାଇବା ଭଳି କାମରେ ନିୟୋଜିତ ହେଉଛନ୍ତି | ଶିଶୁଙ୍କୁ କାମରେ ନିୟୋଜିତ କରାଯାଉଥିବା ବେଳେ ନିଘୋଡ଼ ନିଦ୍ରାରେ ରହିଛି ଜିଲ୍ଲା ଶିଶୁ ବିଭାଗ ଓ ଶ୍ରମ ବିଭାଗ ।
ପ୍ରତିବର୍ଷ ଏପ୍ରିଲ ମାସ ଦ୍ଵିତୀୟ ସପ୍ତାହ ବେଳକୁ ମାଲକାନଗିରି ପଡିଆ ବ୍ଲକ ଅଞ୍ଚଳରେ ଆରମ୍ଭ ହୁଏ କେନ୍ଦୁପତ୍ର ବ୍ୟବସାୟ । ଏହି ସମୟରେ ଚଳଚଞ୍ଚଳ ହୋଇପଡନ୍ତି କେନ୍ଦୁପତ୍ର ତୋଳାଳୀ ଓ ବ୍ୟବସାୟୀ। ବିଭିନ୍ନ ସ୍ଥାନରେ ସରକାରୀ ଦରଠାରୁ ଅଧିକ ଟଙ୍କା ନଗଦରେ ଦେଇ କୋଟି କୋଟି ଟଙ୍କାର ବ୍ୟବସାୟ କରନ୍ତି ବ୍ୟବସାୟୀ। ପ୍ରଚଣ୍ଡ ଖରାରେ ସ୍କୁଲ ଛୁଟି ରହୁଥିବା ବେଳେ ଏହାର ଫାଇଦା ନେଉଛନ୍ତି କେନ୍ଦୁପତ୍ର ବ୍ୟବସାୟୀ । ଶିଶୁମାନେ କେତେବେଳ ପରିବାର ଲୋକଙ୍କ ସହ ଜଙ୍ଗଲକୁ ଯାଇ କେନ୍ଦୁପତ୍ର ତୋଳୁଥିବାବେଳେ ଦ୍ୱିପହର ସମୟରେ କେନ୍ଦୁପତ୍ର ଫଡ଼ିରେ ମାତ୍ର କିଛି ପଇସା ପାଇଁ ପତ୍ର ବିଡ଼ା ଓଲାଟାଇବା କାମରେ ନିୟୋଜିତ ହେଉଛନ୍ତି |
ପଡିଆଠାରୁ କାଲଦାପଲ୍ଲୀ ମୁଖ୍ୟ ରାସ୍ତା କଡରେ ଥିବା ବେସରକାରୀ ଫଡ଼ିରେ ୧୦ ରୁ ୧୪ ବର୍ଷର ତିନି ଜଣ ପିଲା ମାତ୍ର ଏକ ଶହ ଟଙ୍କା ପାଇଁ ଦ୍ୱିପହର ସମୟରେ ପତ୍ର ଓଲଟାଉଥିବା କାମ କରୁଥିବା ଦେଖାଯାଇଥିଲା | ଦୁର୍ଗମ ଅଞ୍ଚଳରେ ବ୍ୟବସାୟୀମାନେ ଶିଶୁ ବିଭାଗ ଆଖିରେ ଧୂଳି ଦେଇ କମ୍ ଦରରେ କୁନିକୁନି ପିଲାଙ୍କୁ କେନ୍ଦୁପତ୍ର ବିଡ଼ା ସଜାଡ଼ିବା, ଓଲଟାଇବା ଭଳି କାମରେ ନିୟୋଜନ କରୁଥିବା ଅଭିଯୋଗ ହେଉଛି | ଶିଶୁ ଶ୍ରମିକ ନିୟୋଜନ କରାଯାଉଥିବା କେନ୍ଦୁପତ୍ର ଫଡ଼ିରେ ଶିଶୁ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।