ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ମାଲକାନଗିରିର ବିଚ୍ଛିନ୍ନାଞ୍ଚଳ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ବାର୍ତ୍ତା ନେଇ ମାଲକାନଗିରରେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର | ସ୍ୱାଭିମାନ ଅଞ୍ଚଳରେ ଲୋକଙ୍କ ସମସ୍ୟା ଓ ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ । ଜିଲ୍ଲାରେ ହେବାକୁ ଥିବା ଏୟାର ଷ୍ଟ୍ରିପ ଜାଗା ବୁଲିବା ସହ ଜିଲ୍ଲା ସୀମାନ୍ତ ମୋଟୁ ଅଞ୍ଚଳ ମଧ୍ୟ ଗସ୍ତ କରିଥିଲେ। ତେବେ ଗତକାଲି ସେ ରାଜ୍ୟ ସରକାରଙ୍କ ଫୋକସରେ ଥିବା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଞ୍ଚଳ ଗସ୍ତ କରିଥିଲେ ।
ମୁଖ୍ୟ ଶାସନ ସଚିବ ମହାପାତ୍ର ବାଲିମେଳା ଘାଟରୁ ଲଞ୍ଚ ଯୋଗେ ସ୍ୱାଭିମାନ ଅଂଚଳର ହାନ୍ତାଳଗୁଡାଠାରେ ପହଞ୍ଚିଥିଲେ । ସଡକପଥ ଦେଇ ସ୍ୱାଭିମାନ ଅଞ୍ଚଳକୁ ମୁଖ୍ୟ ସଚିବଙ୍କ ଏହା ପ୍ରଥମ ଥର ପାଇଁ ଗସ୍ତ | ସ୍ୱାଭିମାନ ଅଞ୍ଚଳବାସୀ ମୁଖ୍ୟ ଶାସନ ସଚିବଙ୍କୁ ନିଜ ପାରମ୍ପରିକ ନୃତ୍ୟ ଦ୍ୱାରା ସ୍ୱାଗତ ଜଣେଇଥିଲେ । ହନ୍ତାଳଗୁଡ଼ାରେ ପହଁଚି ସେତୁ ଯୋଜନା ମାଧ୍ୟମରେ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସହ ଅନାନ୍ୟା ନିର୍ମାଣାଧୀନ ପ୍ରକଳ୍ପଗୁଡିକର ସମୀକ୍ଷା କରିଥିଲେ| ପରେ ବଡ଼ପଡାଠାରେ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମାଣ ହୋଇଥିବା ଚିକିତ୍ସାଳୟକୁ ମଧ୍ୟ ବୁଲି ଦେଖିଥିଲେ । କିଭଳି ଭାବେ ସ୍ୱାଭିମାନ ଅଞ୍ଚଳର ଅଧିକ ବିକାଶ ହେବ ସେଥି ନିମନ୍ତେ ଆଲୋଚନା କରିଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ । ଭିତ୍ତିଭୂମିଠାରୁ ଆରମ୍ଭ କରି ପାନୀୟ ଜଳ ଯାଏଁ ଥିବା ସମସ୍ୟାର ସମାଧାନ ପାଇଁ ଦେଇଥିଲେ ପ୍ରତିଶ୍ରୁତି । ଉଦ୍ୟାନ କୃଷି, ମତ୍ସ୍ୟଚାଷ, ଅଧିବାସୀମାନଙ୍କ ପାଇଁ ବିକଳ୍ପ ଜୀବିକା ନିର୍ବାହ, କୃଷକଙ୍କ ଆୟ ବୃଦ୍ଧି, ଚିକିତ୍ସା କ୍ଷେତ୍ରରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବାରେ ଉନ୍ନତି, ଶିକ୍ଷା ଏବଂ ହଷ୍ଟେଲ କମ୍ପ୍ଲେକ୍ସର ବିକାଶ, ଇକୋ-ଟୁରିଜିମର ଅଭିବୃଦ୍ଧି, ଜଳସେଚନ, ବିଦ୍ୟୁତିକରଣ, ସଡକ ସମସ୍ତ ଗ୍ରାମ ସହିତ ସଂଯୋଗ, ଏବଂ ଟେଲିକମ୍ ସଂଯୋଗକୁ ମୁଖ୍ୟ ସଚିବଙ୍କ ଦ୍ୱାରା ସମୀକ୍ଷା କରାଯାଇଥିଲା |ସମସ୍ତ ଗ୍ରାମ ପଞ୍ଚାୟତ ଏବଂ ଗ୍ରାମରେ ଭିତ୍ତିଭୂମି ସ୍ଥାପନ ଏବଂ ଜୀବିକା ନିର୍ବାହ କାର୍ଯ୍ୟକଳାପକୁ ତୀବ୍ର କରିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ସେ ବିଏସ୍ଏଫ୍ କ୍ୟାମ୍ପକୁ ଯାଇ ନକ୍ସଲ କାର୍ଯ୍ୟକଳାପ ବିଷୟରେ କ୍ୟାମ୍ପ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସେ ଏହି ଅଞ୍ଚଳରେ ସଡ଼କ ସଂଯୋଗ ଏବଂ ସେବା ବିତରଣ ବିଷୟରେ ଲୋକଙ୍କ ସହ ଆଲୋଚନା କରିଥିଲେ।
ଏହି ଗସ୍ତରେ ମୁଖ୍ୟ ଶାସନ ସଚିବଙ୍କ ସହ ମାଲକାନଗିରି ଏସ.ପି ନିତେଶ ବାଧଓ୍ବାନୀ , ଏଡିଏମ ବିରସେନ ପ୍ରଧାନଙ୍କ ସହ ଅନ୍ୟ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ତେବେ ଖୁବଶୀଘ୍ର ଚିତ୍ରକୋଣ୍ଡା ବ୍ଲକର ସ୍ଵାଭିମାନ ଅଞ୍ଚଳରେ ବିକାଶର ସୂର୍ଯ୍ୟ ଉଇଁବ ବୋଲି ଅଞ୍ଚଳବାସୀ ଉତ୍ସାହିତ ଅଛନ୍ତି।