ଭୁବନେଶ୍ୱର(ଏନଏନଏସ୍): ଗତକାଲି ମାଲକାନଗିରି ଜିଲ୍ଲାରେ କାଳବୈଶାଖୀ ଯୋଗୁ ବ୍ୟାପକ କ୍ଷୟକ୍ଷତି ସହିତ ଦୁଇଟି ଭିନ୍ନଭିନ୍ନ ଦୁର୍ଘଟଣାରେ ଚାରି ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଯୋଗୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହିତ ମୃତକଙ୍କ ଆତ୍ମୀୟମାନଙ୍କ ପାଇଁ ଚାରି ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏ ସହାୟତା ପ୍ରଦାନ କରିବା ପାଇଁ ସେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, କାଳବୈଶାଖୀ ଯୋଗୁ ମାଲକାନଗିରିରେ ଡଙ୍ଗା ବୁଡି ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏୟାରଷ୍ଟ୍ରିପ ପାଚେରୀ ଭୁଷୁଡି ଦୁଇଜଣଙ୍କ ମୃତ୍ୟୁ ଘଟିଛି । ଏତତ୍ବ୍ୟତିତ ଆହାତମାନଙ୍କୁ ବିନା ମୂଲ୍ୟରେ ଉନ୍ନତମାନର ଚିକିତ୍ସା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ଗଂଜାମ ଜିଲ୍ଲାର ଛତ୍ରପୁର ବ୍ଲକରେ ଆର୍ୟ୍ୟପଲ୍ଲୀ ସମୁଦ୍ର କୂଳରେ ଗାଧେଇବା ବେଳେ ଦୁଇଜଣ ଛାତ୍ରୀଙ୍କ ମୃତ୍ୟୁ ଯୋଗୁ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହିତ ସେମାନଙ୍କ ପରିବାରକୁ ଚାରି ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କରିଛନ୍ତି ।