ପରଲୋକରେ ପଦ୍ମଶ୍ରୀ ନନ୍ଦକିଶୋର ପୃଷ୍ଟି । ୧୦୪ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । କିଛିଦିନ ଧରି ସେ କରୋନାରେ ଆକ୍ରାନ୍ତ ହୋଇ କଳିଙ୍ଗନଗର ସ୍ଥିତ ଟାଟା କୋଭିଡ ହସ୍ପିଟାଲରେ ଚିକିତ୍ସତ ହେଉଥିଲେ । ପରେ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଆଜି ତାଙ୍କର ମୃତ୍ୟୁ ଘଟିଛି । ତେବେ ପଲ୍ଲୀରୁ ଦିଲ୍ଲୀରେ ପହଞ୍ଚିଥିବା ପଦ୍ମଶ୍ରୀ ନନ୍ଦ ପୃଷ୍ଟିଙ୍କ ପରଲୋକକୁ ନେଇ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ମୃତ୍ୟୁର କିଛିଦିନ ପୂର୍ବରୁ ଚାଟଶାଳୀ ଶିକ୍ଷକ ନନ୍ଦକିଶୋର ପୃଷ୍ଟିଙ୍କୁ ମିଳିଥିଲା ପଦ୍ମଶ୍ରୀ ସମ୍ମାନ । ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅଧିନସ୍ଥ ବର୍ତଣ୍ଡା ଗ୍ରାମପଞ୍ଚାୟତର କାନ୍ତିରା ଗ୍ରାମରେ ତାଙ୍କ ଘର । ସେ ସମଗ୍ର ଦେଶରେ ଚାଟଶାଳୀ ଶିକ୍ଷକ ଭାବେ ପରିଚିତ ଥିଲେ । ଦୀର୍ଘ ୮୨ ବର୍ଷ ଧରି ସେ ମାଗଣାରେ ପିଲାଙ୍କୁ ଶିକ୍ଷାଦାନ କରିଆସୁଥିଲେ । ବୟସର ଅପରାହ୍ନରେ ବି ସେ ଥକି ଯାଇନଥିଲେ । ଅସୁସ୍ଥ ହେବା ପୂର୍ବରୁ ବି ସେ କାନ୍ତିରା ଗ୍ରାମର ଏକ ଗଛ ମୂଳେ ପିଲାଙ୍କୁ ପାଠ ପଢାଉଥିଲେ । ଆଖପାଖ ଅଞ୍ଚଳରେ ସେ ନନ୍ଦ ମାଷ୍ଟ୍ରେ ବୋଲି ମଧ୍ୟ ଜଣାଶୁଣା । ତାଙ୍କ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ । କେନ୍ଦ୍ର ସରକାର ଏହା ଉପରେ ବିଚାର କରି ନନ୍ଦସାରଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯିବ ବୋଲି ଘୋଷଣା କରିଥିଲେ ।