ଲୁଣା ନଦୀରେ ଆଜି ସକାଳୁ ଆସି ପହଞ୍ଚିଛି ଏକ ପରିବହନ ଜାହାଜ | ଏଥିରେ ଏକ ବିଶାଳ ଯନ୍ତ୍ରାଂଶ ପରିବହନ କରାଯାଉଛି। ତେବେ ଦୀର୍ଘ ବର୍ଷ ପରେ କେନ୍ଦ୍ରାପଡା ଜିଲ୍ଲାର ଜଳପଥରେ କୌଣସି ସାମଗ୍ରୀ ପରିବହନ ହେବା ଘଟଣା ବେଶ ଚର୍ଚ୍ଚାର ବିଷୟ ହୋଇଛି | ଏହା ଲୁଣା ନଦୀର ନୌବାଣିଜ୍ୟ ସ୍ମୃତିକୁ ଉଜାଗର କରିଛି। ତେବେ ଏହି ଚାଟାର୍ଡ ଭେଶଲ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା |
କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ବଡପାଳଗଡାଠାରେ ଲୁଣା ନଦୀରେ ଲାଗିଛି ଏହି ବିଶାଳକାୟ ଚାଟାର୍ଡ ଭେଶଲ। ଏଥିରେ ପରିବହନ ହେଉଛି ଏକ ବୃହତ ଯନ୍ତ୍ରାଂଶ। ଯନ୍ତ୍ରାଂଶଟି ତାଳଚେର କଣିହାଁର ଏକ କମ୍ପାନୀକୁ ଯିବା ପାଇଁ ଯୋଜନା କରାଯାଇଛି। ତେବେ ଏହି ଯନ୍ତ୍ରାଂଶଟି ସଂଘାଇରୁ ସମୁଦ୍ର ପଥରେ ଆସି ପାରାଦ୍ୱୀପରେ ପହଞ୍ଚିଥିଲା। ପାରାଦ୍ୱୀପରୁ ଚାଟାର୍ଡ ଭେଶଲ ଯୋଗେ ଯନ୍ତ୍ରାଂଶଟି ସମୁଦ୍ର ମୁହାଣ ଦେଇ ଲୁଣା ନଦୀକୁ ପ୍ରବେଶ କରିଥିଲା। ପାରାଦୀପରୁ ବାହାରି ଜଳପଥରେ ପ୍ରାୟ ୩୦ କିଲୋମିଟର ଅତିକ୍ରମ କରି ବଡପାଳଗଡାଠାରେ ଏହା ଲଂଗର ପକାଇ ରହିଛି। ମାର୍ଶାଘାଇଠାରେ ଖଲାସ କରାଯାଇ ସଡକ ପଥରେ କମ୍ପାନୀକୁ ଯିବା ପାଇଁ ଚାଲିଛି ବ୍ୟବସ୍ଥା ।
ସୂଚନା ଥାଉକି, ବ୍ରିଟିଶ ଶାସନ ସମୟରେ କେନ୍ଦ୍ରାପଡା ଅଞ୍ଚଳର ବିଭିନ୍ନ ନଦୀ ଓ କେନାଲରେ ମାଲ ପରିବହନ କରାଯାଉଥିଲା। ଛୋଟ ଛୋଟ ଜାହାଜ ଅଥବା ବଡ଼ ଡଙ୍ଗାରେ ବିଭିନ୍ନ ସାମଗ୍ରୀ ଜଳପଥରେ ଗୋଟେ ଜାଗାରୁ ଅନ୍ୟ ଏକ ଜାଗାକୁ ଯାଉଥିଲା। ଯୋଗାଯୋଗର ଦ୍ରୁତ ବିକାଶ ପରେ ଏବେ ଜଳପଥ ସମ୍ପୂର୍ଣ ଅଚଳ ହୋ ପଡିଛି। ଅନ୍ୟ ପକ୍ଷରେ ବୃଦ୍ଧି ପାଉଥିବା ପ୍ରଦୂଷଣ ଓ ମୁଣ୍ଡ ଟେକିଥିବା ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଜଳପଥ ପରିବହନ ବ୍ୟବସ୍ଥା ବେଶ ସହଜ ଓ ସୁବିଧାଜନକ ହେବା ସହ କମ ଖର୍ଚ୍ଚ ରେ ପରିବହନ କରାଯାଇପାରିବ ବୋଲି ମତ ପ୍ରକାଶ ପାଇଛି ।ତେବେ ନଦୀଗୁଡିକ ଖନନ କରାଯାଇ ସଂଯୋଗୀକରଣ କରାଗଲେ ପରିବହନ ଅଧିକ ସଫଳ ହୋଇପାରିବ।ସେହିପରି ଆଖଡାଶାଳିଠାରେ ପ୍ରସ୍ତାବିତ ନଦୀ ଭିର୍ତ୍ତିକ ବନ୍ଦର ନିର୍ମାଣ ହେଲେ ପୂର୍ବ ନୌପରିବହନ ଫେରିପାରିବ ବୋଲି ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି।
କେନ୍ଦ୍ରାପଡା ଜିଲ୍ଲାରେ ଥିବା ୭ ବଡ଼ ନଦୀ ଏବଂ ଉପନଦୀଗୁଡିକ ସମେତ ସମସ୍ତ ନଦୀ ଖନନ କରାଗଲେ, ପୁଣି ଥରେ ନୌବାଣିଜ୍ୟ ସ୍ମୃତିକୁ ଉଜାଗର କରିବା ସହ ନୌବାଣିଜ୍ୟ କ୍ଷେତ୍ରରେ ଏକ ନୂତନ ଯୁଗ ଆରମ୍ଭ ହେବ ବୋଲି କୁହାଯାଉଛି ।