ପୁରୀ(ଏନଏନଏସ୍): ଆସୁଛି ପବିତ୍ର ଘୋଷଯାତ୍ରା । ଯେଉଁଥିପାଇଁ ଚଳଚଞ୍ଚଳ ରଥଖଳା । ଅକ୍ଷୟତୃତୀୟାରେ ରଥକାଠ ଅନୁକୂଳ ହେବା ପରେ ରଥ ଖଳାରେ ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ । ଏହି କାର୍ଯ୍ୟ ୭ଦିନରେ ସରିବାର ବିଧି ରହିଛି । ପ୍ରଥମେ ତିନି ରଥ ପାଇଁ ଗୋଟିଏ ଲେଖାଏଁ ତିନୋଟି ତୁମ୍ଭକାଠ ଚିରଟ କରାଯାଇଛି । ତାପରେ ଏହି ତୁମ୍ଭକାଠ ଗଡିକୁ ଚଉପଟ କରାଯାଉଛି। ଏହାପରେ ବୋଳାଯିବ। ପରେ ସୂତା ବାଡିଆ କାର୍ୟ୍ୟ ହେବ।
ତୁମ୍ବ ହେଉଚି ଚକର ମଝି ଅଂଶ। କରତି ସେବକ ମାନେ ଫାଶୀ କାଠ ଗଣ୍ଡିକୁ କାଟି ବିଶ୍ଵକର୍ମାଙ୍କୁ ଯୋଗାଇ ଦେଇଛନ୍ତି। ବିଶ୍ଵକର୍ମା ମାନେ ବାରିଶିରେ ହାଣି ତୁମ୍ଭ ତିଆରି କରୁଛନ୍ତି। ଫାଶୀ କାଠ ରେ ତୁମ୍ବ ନିର୍ମାଣ ହୁଏ। ଏହାର ଭିତର ଅଂଶ ଖୁବ୍ ଟାଣ। ଚାପ ପଡ଼ିଲେ ମଧ୍ୟ ସହଜରେ ଏଥିରେ ଫାଟ ଦେଖିବାକୁ ମିଳେନାହିଁ । ଏଣୁ ତୁମ୍ବ ରଥର ସବୁ ଭାର ସମ୍ଭାଳି ଥାଏ। ତୁମ୍ବରେ ବିନ୍ଧ ହୋଇ ଅର ଭୁଞ୍ଜିଲା ପରେ ସେଥିରେ ପହି ଲାଗି ହୋଇ ଚକ ପ୍ରସ୍ତୁତ ହୁଏ। ଆଗାମୀ ନୃସିଂହ ଚତୁର୍ଦ୍ଦଶୀ ରେ ଗୁଜ ଅନୁକୂଳ ହେବ। ତିନି ରଥ ର ଗୁଜ କାଠ ହଣାଯିବ।
ସେପଟେ ରଥ ନିର୍ମାଣ ରେ ଗୁରୁତ୍ୱପୂର୍ଣ୍ଣ ଦ।ୟିତ୍ଵ ରହିଚି ରଥ ଅମିନଙ୍କ। ରଥ ଅମିନ ତିନି ରଥ ପାଇଁ କେତେ କାଠ ଦରକାର, କେଉଁ କାଠ ଦରକାର, ଆଉ କେତେ କାଠ ଆସିବ ସେ ନେଇ ସ୍ଥିତି ଅନୁଧ୍ୟାନ କରି ପ୍ରଶାସନକୁ ଜଣାଇବା ସହ ବିଶ୍ଵକର୍ମା ମହାରଣାଙ୍କୁ କାଠ ଯୋଗାଇ ଦେଇଥାନ୍ତି। ରଥ ଅମିନ ଲକ୍ଷ୍ମଣ ମହାପାତ୍ର ରଥ ଖଳା ରେ ଉପସ୍ଥିତ ରହି ସବୁ କାର୍ଯ୍ୟର ତଦାରଖ କରୁଛନ୍ତି।