ଭୁବନେଶ୍ୱର(ଏନଏନଏସ୍): ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମାଗଣାରେ ୟୁନିଫର୍ମ ଯୋଗାଇ ଦିଆଯାଉଥିଲା । କିନ୍ତୁ ଏବେ ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ସ୍କୁଲ୍ ୟୁନିଫର୍ମ । ସରକାରୀ ହାଇସ୍କୁଲ୍ ତଥା ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲ୍ରେ ପଢ଼ୁଥିବା ଛାତ୍ରଛାତ୍ରୀ ପାଇବେ ୟୁନିଫର୍ମ । ଦୁଇ ହଳ ପୋଷାକ ସହ ଜୋତା ଓ ମୋଜା ବି ଯୋଗାଇ ଦିଆଯିବ । ‘ମୁଖ୍ୟମନ୍ତ୍ରୀ ପରିଧାନ’ ଯୋଜନାରେ ହାଇସ୍କଲ୍ ଛାତ୍ରଛାତ୍ରୀ ଏହି ସୁବିଧା ପାଇବେ ।
ନୂଆ ଲୁକ୍ ଓ ନୂଆ ରଙ୍ଗର ପୋଷାକରେ ସ୍କୁଲକୁ ଆସିବେ ଛାତ୍ରଛାତ୍ରୀ । ହଂଟର ଗ୍ରୀନ୍ ରଙ୍ଗର ପୋଷାକ ପିନ୍ଧିବେ ଛାତ୍ରଛାତ୍ରୀ । ଛାତ୍ରଙ୍କ ପାଇଁ ଫୁଲ ପ୍ୟାଣ୍ଟ ଓ ସାର୍ଟ ରହିଥିବା ବେଳେ ଛାତ୍ରୀଙ୍କ ଲାଗି ଚୁଡିଦାର-ପଞ୍ଜାବୀ ସହ ଜ୍ୟାକେଟ୍ ପୋଷାକ ରହିଛି । ଡ୍ରେସରେ ଏକ ଲୋଗୋ ‘ଆମେ ଗଢିବୁ ନୂଆ ଓଡ଼ିଶା’ ରହିବ। ସପ୍ତାହର ୫ ଦିନ ଛାତ୍ରଛାତ୍ରୀ ୟୁନିଫର୍ମ ପିନ୍ଧିବେ । ଶନିବାର ଛାତ୍ରଛାତ୍ରୀ ଟି-ସାର୍ଟ ଓ ଟ୍ରାକ୍ ପ୍ୟାଣ୍ଟ ପିନ୍ଧି ବିଦ୍ୟାଳୟକୁ ଆସିବେ । ଚଳିତ ଶିକ୍ଷାବର୍ଷରୁ ମିଳିବ ମାଗଣା ୟୁନିଫର୍ମ । ଏହି ଯୋଜନାକୁ ଚଳିତ ଶିକ୍ଷାବର୍ଷରୁ କାର୍ୟ୍ୟକାରୀ କରାଯିବାର ଲକ୍ଷ୍ୟ ରହିଛି । ଏନେଇ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।
ପୋଷାକ, ଜୋତା-ମୋଜା କ୍ରୟ ଓ ବିତରଣ ପାଇଁ ବ୍ଲକ୍ସ୍ତରରେ ଏକ କମିଟି ଗଠିତ ହେବ । ଏହି କମିଟି ନେତୃତ୍ୱରେ ଏମଏସଏମଇ ବା ସ୍ୱୀକୃତିପ୍ରାପ୍ତ ଏସଏଚଜିଙ୍କୁ ପୋଷାକ କ୍ରୟ ବା ବଣ୍ଟନ ଦାୟିତ୍ୱ ଦିଆଯିବ। ସେମାନେ ଛାତ୍ରଛାତ୍ରୀଙ୍କ ପାଇଁ ଉପଯୁକ୍ତ ପୋଷାକ ସହିତ ଜୋତା- ମୋଜା ଯୋଗାଡ଼ କରି ପିଲାମାନଙ୍କୁ ବଣ୍ଟନ କରିବେ । ଜଣେ ଛାତ୍ରଛାତ୍ରୀଙ୍କୁ ବର୍ଷକ ପାଇଁ ୨ ହଳ ପୋଷାକ ଓ ଏକ ହଳ ଯୋତା, ଏକ ହଳ ମୋଜା ପ୍ରଦାନ କରାଯିବ।