ମା ଶାରଳାଙ୍କ ପୀଠରେ ଆଜିଠୁ ଚନ୍ଦନ ଯାତ୍ରା । ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ଠାରୁ ଦୀର୍ଘ ୨୧ ଦିନ ଧରି ପାଣିରେ ଚାପ ଖେଳିବେ ମା। ଦିନ ଓ ରାତିରେ ମାଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ | ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଝଙ୍କଡ଼ ବାସିନୀ ମା ଶାରଳାଙ୍କ ପୀଠରେ ନିଆରା ଢଙ୍ଗରେ ପାଳନ କରାଯାଏ ଚାପ ଖେଳ | ପ୍ରଥମ ଦିନରେ ଗୋଟିଏ ଘେରା ଦିତୀୟ ଦିନରେ ଦିତୀୟ ଘେରା ଏହି ପରି ୨୧ ଦିନ ପର୍ଯ୍ୟନ୍ତ ୨୧ ଘେରା ବୁଲିବେ ମା ଶାରଳା | ଏହାପରେ ଯାଇ ଶେଷ ହେବ ଚନ୍ଦନ ଯାତ୍ରା ।
ମାଙ୍କ ସକାଳ ଧୂପ, ମଙ୍ଗଳ ଆଳତୀ ସରିବା ପରେ ଚନ୍ଦନ ଲାଗି ବେଶ କରାଯାଇଥିଲା | ପରେ ମାଙ୍କୁ ଏକ ସୁସଜ୍ଜିତ ପଟୁଆରରେ ଘଣ୍ଟ ଘଣ୍ଟା ମାଧ୍ୟମରେ ମାଙ୍କୁ ଚନ୍ଦନ ପୁଷ୍କରିଣୀକୁ ଅଣାଯାଇଥିଲା |ଅକ୍ଷୟ ତୃତୀୟା ଅବସରରେ ମାଙ୍କର ସ୍ଵତନ୍ତ୍ର ପୂଜା ରୀତିନୀତି କରାଯିବା ସହିତ ଚନ୍ଦନ ଯାତ୍ରା ସରିବା ପରେ ମାଙ୍କ ର ହଳଦୀ ଖେଳ ଅନୁଷ୍ଠିତ ହୋଇଥିଲା । ମା ଶାରଳାଙ୍କ ଏହି ଚନ୍ଦନ ଯାତ୍ରା ଦେଖିବା ପାଇଁ ଦୂର ଦୂରାନ୍ତରୁ ଶତାଧିକ ଭକ୍ତଙ୍କ ଭିଡ ଜମିଥିଲା।