ଭୁବନେଶ୍ୱର(ଏନଏନଏସ୍): ବଢି ବଢି ଚାଲିଛି ହରଡ ଡାଲି ଦର । ଖୋଲା ବଜାରରେ କିଲୋ ପିଛା ଦର ୧୪୦ ଟଙ୍କା ପହଞ୍ଚିଛି । ୬ ମାସ ଭିତରେ ହରଡ ଡାଲି ପିଛା ୪୦ ଟଙ୍କା ଦର ବଢି ସାରିଲାଣି । ଡାଲି ଭିତରେ ସବୁଠାରୁ ଅଧିକ ଚାହିଦା ହରଡ ଡାଲିର ରହିଛି । ଏନେଇ ବାରମ୍ବାର ଡାଲି ଦର ବଢିବା ଘଟଣା ଏବେ ଖାଉଟିଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।
ସୂଚନା ଅନୁଯାୟୀ, ଗତ ଜାନୁଆରୀ ମାସରେ ହରଡ ଡାଲିର ପାଇକାରୀ ମୂଲ୍ୟ ୧୦୦ ଟଙ୍କା ଥିଲା । ଏହାପରେ ଫେବୃଆରୀ ମାସରେ ୧୦୪ରୁ ୧୦୫ ଟଙ୍କାରେ ପହଞ୍ଚି ଥିଲା ହରଡ ଡାଲି । ସେହିପରି ମାର୍ଚ୍ଚ ମାସରେ ୧୦୭, ୧୦୮ ଟଙ୍କା ଏବଂ ମେ ମାସରେ ୧୧୫ରୁ ୧୨୦ଟଙ୍କାର ପହଞ୍ଚିଥିଲା ହରଡ ଡାଲି ଦର । ତେବେ ହଠାତ୍ ଜୁନ୍ ମାସ ଆରମ୍ଭରୁ ଏହି ଦର ୧୪୦ ଟଙ୍କାରେ ପହଁଚିଛି । ମୌସୁମୀ ଆସିବାରେ ବିଳମ୍ବ ହେଉଥିବାରୁ ହରଡ ଡାଲି ଚାଷ ପ୍ରଭାବିତ ହେଉଛି । ଫଳରେ ଏବେଠାରୁ ବେପାରୀ ଡାଲିକୁ ଗଚ୍ଛିତ କରି ରଖିବା ଆରମ୍ଭ କରିସାରିଛନ୍ତି। ଯଦି ଠିକ୍ ସମୟରେ ଡାଲି ଅମଳ ନହୁଏ, ତାହାଲେ ପୁରୁଣା ଡାଲି ମୂଲ୍ୟ ୨୦୦ ଟଙ୍କା ଟପିବାର ଆଶଙ୍କା ରହିଥିବା କୁହାଯାଉଛି ।