ରାଜ୍ୟ ସରକାରଙ୍କ ଏକ ଶକ୍ତିଶାଳୀ ବିଭାଗ ହେଲା 5T । ଏହା ଓଡ଼ିଶାର ଏକ ପରିବର୍ତ୍ତନକାରୀ ପଦକ୍ଷେପ । କିନ୍ତୁ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ 5T ବିଭାଗକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି 5T ହେଉଛି ୫ ଜଣ ଟାଉଟରିଆଙ୍କ ବିଭାଗ । ରାଜ୍ୟ ସରକାର କିଛି କାମ ନ କରି କେବଳ ବ୍ରାଣ୍ଡିଂରେ ମାତିଛନ୍ତି । ଏପରିକି କେନ୍ଦ୍ର ସରକାର ମଞ୍ଜୁର କରୁଥିବା ପ୍ରକଳ୍ପ ଅର୍ଥରେ ମୁଖ୍ୟମନ୍ତ୍ରୀ ତାଙ୍କ ଫଟୋ ଲଗାଇ ବାହାଦୁରି ନେଉଛନ୍ତି । ଏଭଳି କଡା ଭାଷାରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଟୁଡୁ । କେନ୍ଦ୍ର ଜଳସେଚନ ଓ ଆଦିବାସୀ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଟୁଡୁ ଗତକାଲି ଦିନିକିଆ କେନ୍ଦ୍ରାପଡା ଗ୍ରସ୍ତରେ ଆସି ଏଭଳି ସମାଲୋଚନା କରିଛନ୍ତି । ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡାଙ୍କ ନେତୃତ୍ବରେ ଦଳ କାର୍ଯ୍ୟାଳୟଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ମନ୍ତ୍ରୀ ଟୁଡୁ କର୍ମୀମାନଙ୍କ ସହିତ ଦଳୀୟ ସାଙ୍ଗଠନକି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ ।