ବହୁତ ଲୋକ ଇଞ୍ଜେକ୍ସନ୍ ନାଁ ଶୁଣିଲେ ଡରରେ ଛାନିଆଁ ହୋଇଯାଇଥାନ୍ତି । ଏଭଳି ଲୋକଙ୍କୁ ଭ୍ୟାକ୍ସିନ ଦେବା ବେଳେ ଡାକ୍ତର କିମ୍ବା ନର୍ସଙ୍କୁ ବହୁତ ହଇରାଣ ହେବାକୁ ପଡ଼ିଥାଏ । କିନ୍ତୁ ଏବେ ଡାକ୍ତର କି ନର୍ସ ନୁହଁନ୍ତି ରୋବର୍ଟ ଦେବ ଭ୍ୟାକ୍ସିନ୍ । ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି ନା । ଏବେ କାନାଡାର ଏକ ଷ୍ଟାର୍ଟଅପ୍ କମ୍ପାନୀ ଏମିତି ଏକ ରୋବର୍ଟ ଆବିଷ୍କାର କରିଛି, ଯିଏ ସମ୍ପୂର୍ଣ୍ଣ ଟିକାକରଣ ପ୍ରକ୍ରିୟାକୁ ନିର୍ଭୁଲ ଭାବେ କରିପାରିବ । ସବୁଠାରୁ ମଜାଦାର କଥା ହେଲା ଏହି ରୋବର୍ଟ ବିନା ଛୁଞ୍ଚିରେ ଲୋକଙ୍କୁ ଟିକାର ଡୋଜ୍ ଦେବ । ଏହି ରୋବର୍ଟର ନାମ କୋବି । କୋବି ପ୍ରଥମେ ରୋଗୀଙ୍କ ଶରୀରର ଏକ ମ୍ୟାପ୍ ପ୍ରସ୍ତୁତ କରିଦିଏ । କେଉଁଠାରେ ଟିକା ଦିଆଯିବ ସେ ନିଜେ ତାହା ସ୍ଥିର କରିଥାଏ । ଏହା ଛୁଞ୍ଚି ବଦଳରେ ହାଇପ୍ରେସର ଜେଟ୍ ଦ୍ୱାରା ସିରମ୍କୁ ମଣିଷ ଶରୀରରେ ଭର୍ତ୍ତି କରିଥାଏ । ରୋବର୍ଟ କୋବି ଏତେ ବୁଦ୍ଧିମାନ ଯେ, ଟିକାକରଣ ପୂରା ପ୍ରକ୍ରିୟାରେ ମଣିଷର ଉପସ୍ଥିତି ଦରକାର ପଡ଼ିନଥାଏ । କୋବିର ପ୍ରଥମ ପରୀକ୍ଷଣ ସଫଳ ହୋଇଛି । ଜଣେ ରୋଗୀଙ୍କୁ ଇନଷ୍ଟ୍ରାମସ୍କୁଲାର୍ ଇଞ୍ଜେକ୍ସନ ଦେଇ ତାର କୁଶଳତା ଦେଖାଇଛି । ଓଣ୍ଟାରିଆର ୱାଣ୍ଟରଲୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ରୋବର୍ଟ ପ୍ରସ୍ତୁତ କରାଯାଇଛି । ସ୍ୱୟଂଚାଳିତ ବାହାନରେ ମ୍ୟାପିଂ ପାଇଁ ବ୍ୟବହାର କରାଯାଉଥିବା ଟେକ୍ନୋଲୋଜି ଲିଡାର ସେନ୍ସରର ବ୍ୟବହାର କରି କୋବି ମଣିଷ ଶରୀରର ମ୍ୟାପ ପ୍ରସ୍ତୁତ କରିଥାଏ । ପରେ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସର ଉନ୍ନତ ସଫ୍ଟୱେର ଦ୍ୱାରା ନିଶ୍ଚିତ କରାଯାଏ ଟିକା କେଉଁଠାରେ ଦିଆଯିବ । କୋବିଓନିକ୍ସର ସିଇଓଙ୍କ କହିବା ଅନୁଯାୟୀ ଏହି ପ୍ରକ୍ରିୟାରେ କୌଣସି ମଣିଷଙ୍କ ହସ୍ତକ୍ଷେପ ଦରକାର ନାହିଁ ।