ଆଖି ସାମ୍ନାରେ ମୃତ୍ୟୁର ଭୟ | ତଳକୁ ଦେଖିଲା ବେଳକୁ ଆଖି ପାଉନି | ଉପରେ ଖୋଲା ଆକାଶ | ମଝି ଆକାଶରେ ଅତି ବିପଦସଂଙ୍କୁଳ ଭାବେ ଝୁଲି ରହିଛନ୍ତି ପର୍ଯ୍ୟଟକ | ୨0 ଘଣ୍ଟା ହେଲା ୨ ହଜାର ଫୁଟ ଉପରେ ସେମିତି ଝୁଲି ରହିଛନ୍ତି | ଝାଡଖଣ୍ଡ ଦେଓଘର ବୈଦ୍ୟନାଥ ମନ୍ଦିର ନିକଟରେ ଥିବା ତ୍ରିକୂଟ ପାହାଡ଼ରେ ଥିବା ରୋପୱେ ଦୁର୍ଘଟଣାର ଏହି ଛାତିଥରା ଦୃଶ୍ୟ | ଏହି ଦୁର୍ଘଟଣା ଯୋଗୁ ଦୁଇଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ୪୮ ପର୍ଯ୍ୟଟକଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହୋଇଛି ରେସକ୍ୟୁ ଅପରେସନ । ଏନଡିଆରଏଫ ଦଳ ବ୍ୟତୀତ ସେନା କର୍ମଚାରୀମାନେ ମଧ୍ୟ ରବିବାରଠାରୁ ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛନ୍ତି | ହେଲିକପ୍ଟର ସାହାଯ୍ୟରେ ପର୍ଯ୍ୟଟକଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରାଯାଉଛି | ରାତି ସାରା ପାହଡ଼ ମଝିରେ ଅଟକି ରହିଥିବାରୁ ସେମାନେ ଖୁବ୍ ଭୟଭୀତ ହୋଇପଡ଼ିଛନ୍ତି।
ସୂଚନା ଯୋଗ୍ୟ ଯେ, ଗତକାଲି ରାମନବମୀ ଉପଲକ୍ଷେ ଦେଓଘର ଜିଲ୍ଲାର ମୋହନପୁର ବ୍ଲକ ଅନ୍ତର୍ଗତ ବୈଦ୍ୟନାଥ ମନ୍ଦିର ନିକଟରେ ଥିବା ତ୍ରିକୂଟ ପର୍ବତ ଉପରେ ଶତାଧିକ ଭକ୍ତଙ୍କ ଭିଡ ଜମିଥିଲା | ରୋପୱେ ଯୋଗେ ଭକ୍ତମାନେ ପାହାଡ଼ ଉପରୁ ଯିବା ଆସିବା କରୁଥିଲେ | କିନ୍ତୁ ସନ୍ଧ୍ୟା ୫ଟାରେ ରୋପୱେରେ ହଠାତ୍ ତ୍ରୁଟି ଯୋଗୁ ୨ଟି କେବିନ୍ ପରସ୍ପର ସହ ଧକ୍କା ହୋଇଥିଲେ | ଏହି ଦୁର୍ଘଟଣାରେ କେବିନ୍ ରେ ଥିବା ଦୁଇଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତି କରାଯାଇଛି | ଏବେ ବି ପ୍ରାୟ ୧୮ ଟି କେବିନ୍ ରେ ପର୍ଯ୍ୟଟକ ମଝି ଆକାଶରେ ଫସିକି ରହିଛନ୍ତି | କେବିନ୍ ରେ ଛୋଟ ପିଲା, ପୁରୁଷ ଏବଂ କିଛି ମହିଳା, ଫଟୋଗ୍ରାଫର ଏବଂ ଗାଇଡ଼ ଫସିକି ରହିଛନ୍ତି | ହେଲିକପ୍ଟର ଯୋଗେ ସେମାଙ୍କୁ ଉଦ୍ଧାର ପାଇଁ ପ୍ରୟାସ କରାଯାଉଛି | ସେମାନଙ୍କୁ ଡ୍ରୋନ୍ ମାଧ୍ୟମରେ ଖାଦ୍ୟ ଏବଂ ଜଳ ଦିଆଯାଉଥିବା ଜଣାପଡିଛି |