ଧର୍ମ ଭାବନାକୁ ନେଇ ଅନେକ ବିତର୍କ ଯୁଗ ଯୁଗରୁ ଚାଲି ଆସିଛି | କିଏ ହିନ୍ଦୁ, କିଏ ମୁସଲମାନ , କାହା ମୁଣ୍ଡରେ ତିଳକ ରହୁଛି ତା କିଏ ପୁଣି ପିନ୍ଧୁଛି ବୁର୍ଖା | କିଏ ଡାକୁଛି ରାମଙ୍କୁ ତ ପୁଣି କିଏ ଆଲ୍ହାଙ୍କୁ | ହିନ୍ଦୁ ହେଉ ବା ମୁସଲମାନ ସମ୍ବିଧାନ ଆଗରେ ସମସ୍ତେ ସମାନ | କିନ୍ତୁ ଏବେ ଧର୍ମକୁ ନେଇ ଚାଲିଛି ବିବାଦ | ଦେଖନ୍ତୁ ଏହି ଭିଡିଓକୁ, କଲେଜ କ୍ୟାମ୍ପସରେ ବୁର୍ଖା ପିନ୍ଧିଥିବା ଜଣେ ମୁସଲିମ ଛାତ୍ରୀଙ୍କୁ କିପରି କରାଯାଉଛି ବିରୋଧ | କର୍ଣ୍ଣାଟକର ମାଣ୍ଡ୍ୟା ସ୍ଥିତ ପିଇଏସ କଲେଜକୁ ଜଣେ ମୁସଲିମ ଛାତ୍ରୀ ବୁର୍ଖା ପିନ୍ଧି ଆସୁଥିବା ବେଳେ ଅନ୍ୟ ଛାତ୍ରମାନେ ବିରୋଧ କରିଛନ୍ତି | ଛାତ୍ରମାନେ ଜୟ ଶ୍ରୀରାମ ନାରା ଦେଇ ଛାତ୍ରୀଙ୍କୁ ବିରୋଧ କରୁଥିବା ବେଳେ ଛାତ୍ରୀ ଜଣକ ମଧ୍ୟ ହାତ ହଲାଇ ଆଲ୍ଲାହା ଓ ଆକବର କହି ସେମାଙ୍କୁ ଉତ୍ତର ଦେଇଛନ୍ତି | ପରେ କଲେଜ କର୍ମଚାରୀମାନେ ଛାତ୍ରୀଙ୍କୁ ସୁରକ୍ଷା ଯୋଗାଇ କଲେଜ ଭିତରକୁ ନେଇ ଯାଇଥିବା ଦେଖିବାକୁ ମିଳିଛି | ଏହି ଭିଡ଼ିଓଟି ଏବେ ବେଶ ଭାଇରାଲ ହେବାରେ ଲାଗିଛି | ଏବେ ଚାରିଆଡେ ସ୍ୱର ଉଠୁଥିବା ଦେଖିବାକୁ ମିଳୁଛି | ବୁର୍ଖା ବିବାଦ ଉପରେ କର୍ଣ୍ଣାଟକ ହାଇକୋର୍ଟ କହିଛନ୍ତି – ‘ଆମେ ଭାବନା ଅନୁଯାୟୀ ନୁହେଁ ଆଇନ ଅନୁଯାୟୀ ଚାଲିବା ଉଚିତ |’ ହାଇକୋର୍ଟ ମଙ୍ଗଳବାର କହିଛନ୍ତି ଯେ ଅନ୍ତର୍ଜାତୀୟ ସମୁଦାୟ ଆମକୁ ଦେଖୁଛନ୍ତି | ଏହା ଦେଶ ପାଇଁ ଏକ ଭଲ ବିକାଶ କି କାର୍ଯ୍ୟକଳାପ ନୁହେଁ | କଲେଜ କ୍ୟାମ୍ପସରେ ବୁର୍ଖା ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଯିବା ଉପରେ ଏକ ଆବେଦନ ଶୁଣାଣି କରି ହାଇକୋର୍ଟ କହିଛନ୍ତି, ଭାବନାକୁ ଦୂରରେ ରଖି ସମ୍ବିଧାନ ଅନୁଯାୟୀ ଚାଲିବା ଉଚିତ । ବୁର୍ଖା ପିନ୍ଧିବା ଏକ ଭାବପ୍ରବଣ ପ୍ରସଙ୍ଗ ହେବା ଉଚିତ ନୁହେଁ ବୋଲି ବିଚାରପତି କ୍ରିଷ୍ଣା ଏସ୍. ଦୀକ୍ଷିତଙ୍କ ଖଣ୍ଡପୀଠ କହିଛନ୍ତି |