ବଣ୍ଡାଘାଟିର ଅଣ୍ଡ୍ରାହାଲ ବିଏସଏଫ କ୍ୟାମ୍ପ ପରିଦର୍ଶନ କରିଛନ୍ତି ବିଏସଏଫ ଆଇଜି। ଆଇଜି ସତୀଶ ଚନ୍ଦ୍ର ବୁଡାକୋଟି ଏହି ଅଞ୍ଚଳର ସୁରକ୍ଷା ଭିତ୍ତିଭୂମି ଓ ଯବାନଙ୍କ କାର୍ଯ୍ୟ ଶୈଳୀ ଆକଳନ କରିଥିଲେ। ଅଣ୍ଡ୍ରାହାଲ ଏବଂ ମୁଦୁଲିପଡାଠାରେ କ୍ୟାମ୍ପ ପ୍ରତିଷ୍ଠା ପରେ ବଣ୍ଡା ସମ୍ପ୍ରଦାୟ ଲୋକଙ୍କ ମନ ଏବଂ ହୃଦୟକୁ ଜିତି ପାରିଛୁ ବୋଲି କହିଛନ୍ତି ବିଏସଏଫ ଆଇଜି । ପରେ ସେ କମାଣ୍ଡର ଏବଂ ଯବାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଯବାନଙ୍କ ଉଚ୍ଚମାନର ସେବା, କର୍ତ୍ତବ୍ୟ ଏବଂ ସ୍ଥାନୀୟ ଲୋକଙ୍କୁ ମାନବିକ ସହାୟତା ପ୍ରଦାନରେ ସକ୍ରିୟ ଆଭିମୁଖ୍ୟକୁ ପ୍ରଶଂସା କରିଥିଲେ ଆଇଜି ସତୀଶ ଚନ୍ଦ୍ର | ଆଇଜିଙ୍କ ସହ ବିଏସଏଫ ଡିଆଇଜି ମଦନ ଲାଲ, କୋରାପୁଟ ବିଏସଏଫ ଏବଂ ୬୫ ବାଟାଲିୟନ କମାଣ୍ଡାଣ୍ଟ ଟି ନରସିଂହ୍ମା ରେଡ୍ଡୀ ପ୍ରମୁଖ ସାମିଲ ଥିଲେ |
ଇନ୍ସପେକ୍ଟର ଜେନେରାଲଙ୍କ ନିର୍ଦ୍ଦେଶରେ ବିଏସଏଫ ପକ୍ଷରୁ ଏକ ମେଡିକାଲ କ୍ୟାମ୍ପ ଆୟୋଜିତ ହୋଇଥିଲା | ଯେଉଁଥିରେ ଅସୁସ୍ଥ ଗ୍ରାମବାସୀଙ୍କୁ ସ୍ୱାସ୍ଥ୍ୟ ସେବା ତଥା ଔଷଧ ଯୋଗାଇ ଦିଆଯାଇଥିଲା। ଦୁର୍ଗମ ଅଞ୍ଚଳରେ ଯେଉଁମାନେ ମୌଳିକ ସ୍ୱାସ୍ଥ୍ୟ ସେବା ପାଇପାରୁ ନାହାଁନ୍ତି ସେମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଏହିପରି ଚିକିତ୍ସା ଶିବିର ଆୟୋଜନ କରିବାର ମୁଖ୍ୟ ଉଦ୍ଦେଶ୍ୟ ।ଏହା ବ୍ୟତୀତ ଆଇଜି ଅଣ୍ଡ୍ରାହାଲର ପ୍ରାୟ ୨୦୦ ଗ୍ରାମବାସୀ ଏବଂ ଛାତ୍ରଛାତ୍ରୀମାନଙ୍କୁ ପୋଷାକ, ଷ୍ଟେସନାରୀ, ଉପଯୋଗିତା ଏବଂ କ୍ରୀଡ଼ା ସାମଗ୍ରୀ ବଣ୍ଟନ କରିଥିଲେ |