କେନ୍ଦ୍ରାପଡା ଜିଲ୍ଲାରେ ବଢୁଛି ଧଳାଜହର କାରବାର | ବ୍ରାଉନସୁଗାର କାରବାର ଅଭିଯୋଗରେ କେନ୍ଦ୍ରାପଡା ଟାଉନ ଥାନା ପୋଲିସ ୫ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୫.୩୪ ଗ୍ରାମ ବ୍ରାଉନସୁଗାର, ୨ଟି ବାଇକ୍, ୭୭୦୦ ଟଙ୍କା ଓ ୪ଟି ମୋବାଇଲ୍ ଫୋନ୍ ଜବତ କରିଛି । କେନ୍ଦ୍ରାପଡା ଟାଉନ ଥାନା ଆଇଆଇସି ଗୌରାଙ୍ଗ ପୃଷ୍ଟି ଏହି ସୂଚନା ଦେଇଛନ୍ତି ।
ଟାଉନ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆଇଆଇସି ପୃଷ୍ଟି କହିଛନ୍ତି, ଗିରଫମାନଙ୍କ ବିରୋଧରେ NDPC Actର 21(b)/29 ଦଫାରେ ମାମଲା ଋଜୁ କରାଯାଇଛି | ଏମାନେ ଗତକାଲି କେନ୍ଦ୍ରାପଡା ସହରର ଗୋପ ଗାଁ ଟିଭି ସେଣ୍ଟର ନିକଟରେ ଏକ ନିଛାଟିଆ ସ୍ଥାନରେ ବ୍ରାଉନସୁଗାର ଚୋରା କାରବାର ପାଇଁ ଯୋଜନା କରୁଥିଲେ । କୌଣସି ସୂତ୍ରରୁ ପୋଲିସ ସୂଚନା ପାଇ ସେଠାରେ ଚଢ଼ାଉ କରି ସେମାନଙ୍କୁ କାବୁ କରିଥିଲା | ଗିରଫ ଅଭିଯୁକ୍ତମାନେ ହେଲେ ଟାଉନ ଫକିରାଦାଦର ସେକ୍ ରହିଲ୍, ମହିପାଳର ମିର ନିଜାମୁଦ୍ଦିନ୍, ସଦର ଥାନା କପାଳେଶ୍ୱର ଗାଁର ଲକ୍ଷ୍ମୀଧର ନାୟକ, ମାର୍ଶାଘାଇ ଥାନା ଅଙ୍ଗୁଳାଇର ନାରାୟଣ ପାତ୍ ଓ କଟକ ଜିଲ୍ଲା ମାହାଙ୍ଗା ଥାନା ରଘୁନାଥପୁର ଗାଁର ସୁମିତ୍ କୁମାର ସିହ୍ନା ।