୭୪ ବର୍ଷ ପରେ ହଜି ଯାଇଥିବା ଭାଇକୁ ଭେଟିଲା ଭାଇ | ଜଣେ ଭାଇ ଭାରତରେ ଆଉ ଜଣେ ରହୁଥିଲେ ପାକିସ୍ତାନରେ | ଦେଶ ବିଭାଜନ ବେଳେ ଅଲଗା ହୋଇଯାଇଥିଲେ ଦୁଇ ଭାଇ । ଯେତେବେଳେ ଦେଶ ବିଭାଜିତ ହେଲା, ଉଭୟ ନିରୀହ ଶିଶୁ ଥିଲେ | ଦୀର୍ଘ ୭୪ ବର୍ଷ ପରେ ପାକିସ୍ତାନର କର୍ତାରପୁର କରିଡରରେ ଦୁଇ ଭାଇ ଭେଟାଭେଟି ହୋଇଛନ୍ତି । ଏହା କୌଣସି ଚଳଚିତ୍ରର କାହାଣୀ ନୁହେଁ ବରଂ କର୍ତାରପୁର ସାହିବଙ୍କ ପ୍ରାଙ୍ଗଣରେ ଦୁଇ ଭାଇଙ୍କ ମିଳନ ଦୃଶ୍ୟ ଦେଖିବାକୁ ମିଳିଥିଲା | ଯେତେବେଳେ 80 ବର୍ଷୀୟ ମହମ୍ମଦ ସିଦ୍ଦିକ୍ ତାଙ୍କ ବଡ ଭାଇ ହବିବଙ୍କୁ ଦେଖିଲେ ଦୁଇ ଜଣକ ଆଖିରେ ଆନନ୍ଦର ଲୁହ ବୋହି ଚାଲିଥିବାବେଳେ ପରସ୍ପରକୁ ଆଲିଙ୍ଗନ କରିବା ଦୃଶ୍ୟ ବେଶ ଭାବପ୍ରବଣ ଥିଲା | ଦୁଇ ଭାଇ ସେମାନଙ୍କ ପୁରୁଣା ସ୍ମୃତିକୁ ତାଜା କରିଦେଇଥିଲେ | ଏପରିକି ସେଠାରେ ଥିବା ତାଙ୍କ ପରିବାର ଲୋକେ ମଧ୍ୟ ଭାବବିହ୍ୱଳ ହୋଇପଡିଥିଲେ | ଦୁଇ ଭାଇଙ୍କ ଏହି ଭାବପ୍ରବଣ ମିଳନ ଦୃଶ୍ୟ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋବାରେ ଲାଗିଛି । ୧୯୪୭ ମସିହାରେ ଭାରତ ବିଭାଜିତ ହେବାବେଳେ ମହମ୍ମଦ ସିଦ୍ଦିକ୍ ଶିଶୁ ଥିଲେ। ତାଙ୍କ ପରିବାର ତାଙ୍କଠାରୁ ଅଲଗା ହୋଇଯାଇଥିଲେ । ସେ ରହିଥିଲେ ପାକିସ୍ତାନର ଫଇସଲାବାଦରେ। ତାଙ୍କ ବଡ ଭାଇ ହବିବ ଭାରତର ପଞ୍ଜାବଜେ ଲୁଧିଆନାରେ ରହିଥିଲେ । ଦୀର୍ଘ ୭୪ ବର୍ଷ ପରେ ପାକିସ୍ତାନର ଗୁରୁଦ୍ୱାରା ଦରବାର ସାହିବକୁ ଭାରତ ସହିତ ସଂଯୋଗ କରୁଥିବା କର୍ତାପୁର କରିଡର ଭାଇମାନଙ୍କୁ ଏକାଠି କରିଛି । ସୀମାନ୍ତଠାରୁ ୫ କିଲୋମିଟର କର୍ତାରପୁର ପର୍ଯ୍ୟନ୍ତ ଭିସାମୁକ୍ତ ଯାତ୍ରା ପାଇଁ କର୍ତାରପୁର କରିଡର ଖୋଲିଥିବାରୁ ଦୁଇ ଦେଶର ସରକାରଙ୍କୁ ସେମାନେ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ଏହି କରିଡର ଅଲଗା ହୋଇଯାଇଥିବା ପରିବାରକୁ ଏକାଠି କରିବାରେ ବହୁତ ସାହାଯ୍ୟ କରିଥାଏ।