ଜଳୁଛି ସାରା ବଲାଙ୍ଗିର । ଆକାଶରୁ ହେଉଛି ଅଗ୍ନିଵର୍ଷା | ତତଲା ତାୱାରେ ଭାଜି ହେଉଛି ବଲାଙ୍ଗୀର ଜିଲ୍ଲା | ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ବଲାଙ୍ଗୀର | ଦିନ ୧୦ ଟା ପରେ ଘରୁ ବାହାରିବା ହୋଇପଡୁଛି ମୁସ୍କିଲ | ଏତେ ତାତି ଯେ ପିଚୁ ରାସ୍ତାରେ ପାଦ ପକାଇଲେ ଫୋଟକା ହୋଇଯାଉଛି | ତତଲା ରାସ୍ତାରେ ପ୍ରସ୍ତୁତ ହେଉଛି ଅଣ୍ଡା ଅମଲେଟ ଆଉ ଦୋସା | କିଏ କଂକ୍ରିଟ ରାସ୍ତା ଉପରେ ତାୱା ରଖି ଅମଲେଟ ପ୍ରସ୍ତୁତ କରୁଛି ତ ଆଉ କିଏ ଗାଡିର ଗରମ ସିଟ ଉପରେ ପ୍ରସ୍ତୁତ କରୁଛି ଦୋସା |
ଇଏ ହେଉଛି ବଲାଙ୍ଗୀର ସହର ମଧ୍ୟରେ ଥିବା ୧୫ ନମ୍ବର ୱାର୍ଡର ଦୃଶ୍ୟ | କିଛି ଯୁବକ ରାସ୍ତା ଉପରେ ତାୱା ରଖି ଅଣ୍ଡା ଅମଲେଟ ତିଆରି କରୁଛନ୍ତି | ସେହିଭଳି କେତେଜଣ ଯୁବକ ଗାଡିର ତତଲା ସିଟ ଉପରେ ଚକୁଳି ପିଠା କରିବା ଚର୍ଚ୍ଚାର ବିଷୟ ପାଲଟିଛି | ଏହି ଦୃଶ୍ୟରୁ ସହରରେ କିଭଳି ଅଗ୍ନି ବର୍ଷା ହେଉଛି ତାହା ସହଜରେ ଅନୁମେୟ | ତେବେ ବର୍ତ୍ତମାନ ବଲାଙ୍ଗୀର ସହରରେ ଗରମ ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟ୍ ସାଧାରଣରେ “କଟା ଘା ରେ ଚୁନ” ଦେବା ସଦୃଶ ପାଲଟିଛି ।