ବଣ ମଲ୍ଲି ବଣରେ ଫୁଟି ଝରିପଡ଼େ | ତାର ମହକ ଆଉ କାହା ପାଖରେ ପହଂଚି ପାରେ ନାହିଁ | ସେମିତି ଏକ କଳାକାର ହେଲେ ବଲାଙ୍ଗିର ଟାଉନର ଓମପ୍ରକାଶ ସାହୁ । ବାଲୁକା କଳା ମାଧ୍ୟମରେ ରାଜ୍ୟ ତଥା ରାଜ୍ୟ ବାହାରେ ତାଙ୍କ ନିଖୁଣ କଳାକୃତି ପ୍ରଦର୍ଶନ କରି ଚାଲିଛନ୍ତି । ଏପରିକି ବିଶ୍ୱସ୍ତରରେ ମଧ୍ୟ ପୁରସ୍କୃତ ହୋଇଛନ୍ତି | କିନ୍ତୁ ତାଙ୍କର ଏହି ବାଲୁକା କଳା ଆଜି ସହରର କଂକ୍ରିଟ ଜଙ୍ଗଲ ମଧ୍ୟରେ ଲୁଚି ରହିଯାଇଛି | ଓମପ୍ରକାଶ ପେସାରେ ଜଣେ ଶିକ୍ଷକ କିନ୍ତୁ ତାଙ୍କର ନିଶା ହେଲା ବାଲୁକା କଳା | ବଲାଙ୍ଗୀରଠାରେ ସୂକ୍ଷ୍ମ ବାଲି ପ୍ରୟୋଗ କରି କଳା ମାଧ୍ୟମରେ ସୁର ସାମ୍ରାଜ୍ଞୀ ସ୍ବର୍ଗତ ଲତା ମଙ୍ଗେସ୍କରଙ୍କୁ ସେ ଜଣାଇଛନ୍ତି ଶ୍ରଦ୍ଧାଞ୍ଜଳି । ଲକଡାଉନ ସମୟରେ ବଲାଙ୍ଗିର ଟାଉନର ରାଜୀବନଗରଠାରେ ନିଜ ଘରେ ରହି ସମୟର ପ୍ରକୃତ ବିନିଯୋଗ କରି ତିଆରି କରିଛନ୍ତି ଅନେକ ପ୍ରକାରର କଳାକୃତି | ଚାଲନ୍ତୁ ଭେଟିବା ବାଲୁକା ଶିଳ୍ପୀ ଓମପ୍ରକାଶ ସାହୁଙ୍କୁ । ଓଡ଼ିଶା ହେଉଛି ବାଲୁକା କଳାର ଜନ୍ମସ୍ଥାନ | ଏହା ପରେ ପରେ ସମଗ୍ର ବିଶ୍ୱରେ ବ୍ୟାପିଥିଲା ଏହି କଳା । ବାଲୁକା କଳା ମାଧ୍ୟମରେ ବାଲିରେ ନିର୍ମିତ ମୂର୍ତ୍ତି ତଥା ପଥର କାରୁକାର୍ଯ୍ୟ ମଧ୍ୟରେ ବହୁତ ତଫାତ ଅଛି । ବାଲୁକା କଳା ପାଇଁ କେବଳ ସୂକ୍ଷ୍ମ ଶସ୍ୟ, ବାଲି ଏବଂ ଜଳ ବ୍ୟବହାର ହେଇଥାଏ । ବାଲି ସାହାଯ୍ୟରେ ଏବଂ ଭଗବାନଙ୍କ ଆଶୀର୍ବାଦରେ ଆଙ୍ଗୁଠିର ମୂଳରେ ଜଣେ କଳାକାର ସମୁଦ୍ର କୂଳରେ କିମ୍ବା ନଦୀ କୂଳରେ ତଥା ସହରର ଯେକୌଣସି ସ୍ଥାନରେ ଏକ ସୁନ୍ଦର ଏବଂ ଆକର୍ଷଣୀୟ ମୂର୍ତ୍ତି ଗଠନ କରିପାରନ୍ତି ବୋଲି କୁହନ୍ତି ବାଲୁକା ଶିଳ୍ପୀ ଓମପ୍ରକାଶ |