ସୁଦୂର ଦୁବାଇରୁ କେନ୍ଦ୍ରାପଡାକୁ ଫେରିଲା ପାର୍ଥିବ ଶରୀର | ଓଡ଼ିଶା ମୋ ପରିବାର ସହାୟତାରେ ଦୁବାଇରୁ ଓଡ଼ିଶାରେ ପହଞ୍ଚିଲା ପାର୍ଥିବ ଶରୀର | ଓଡ଼ିଶା ମୋ ପରିବାର ପ୍ରତିନିଧିମାନେ ଭୁବନେଶ୍ୱର ଆନ୍ତର୍ଜାତୀୟ ବିମାନବନ୍ଦରରେ ଉପସ୍ଥିତ ରହି ମୃତ ଶରୀର ତାଙ୍କ ଗ୍ରାମକୁ ପଠାଇବାର ବ୍ୟବସ୍ଥା କରିଥିଲେ । ମୃତକ ଜଣକ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କ ପରିବାରକୁ ୩୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି | ଗାଁରେ ଶବ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି |
କେନ୍ଦ୍ରାପଡ଼ା ଜିଲ୍ଲା କପାଳେଶ୍ଵର ଅନ୍ତର୍ଗତ ଗରାପୁର ଅଞ୍ଚଳର ୪୧ ବର୍ଷୀୟ ଶେଖ୍ ସାଜିଦ | ସେ ଗତ ୨୦୧୮ ମସିହାରୁ ଦୁବାଇରେ ରହି ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଗତ ୯ ତାରିଖରେ ହୃଦଘାତରେ ପୀଡ଼ିତ ହୋଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସିତ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା | ଡାକ୍ତର ଶବ ବ୍ୟବଛେଦ କରିବା ପାଇଁ ପରାମର୍ଶ ଦେଇଥିଲେ । ପରିବାର ସଦସ୍ୟ ହସ୍ପିଟାଲ ସମ୍ବନ୍ଧରେ ଅଜ୍ଞ ଥିବାରୁ ଗ୍ରାମର ସରପଞ୍ଚଙ୍କର ସହାୟତା ଲୋଡିଥିଲେ । ପରେ ସେଠାକାର ସରପଞ୍ଚଙ୍କ ପୁଅ ଲୋହିତ କୁମାର ମହାନ୍ତି ଓଡ଼ିଶା ମୋ ପରିବାର ଓ କେନ୍ଦ୍ରାପଡ଼ା ବିଧାୟକ ଶଶୀ ଭୂଷଣ ବେହେରାଙ୍କୁ ସୂଚିତ କରିଥିଲେ । ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଅରୁଣ କୁମାର ପ୍ରହରାଜ, ଭାରତୀୟ ଦୂତରାଷ୍ଟ୍ର ଡଃ. ଅମନ୍ ପୁରିଙ୍କ ସହିତ ଯୋଗାଯୋଗ କରାଯାଇଥିଲା | ପରେ ଦୁବାଇସ୍ଥିତ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯାଇ ପାର୍ଥିବ ଶରୀରକୁ ଓଡ଼ିଶା ପଠାଇବାର ସମସ୍ତ ବ୍ୟବସ୍ଥା କରିଥିଲେ ।
ଆଗାମୀ ଦିନରେ ପରିବାର ଲୋକଙ୍କ ଜୀବିକା ନିର୍ବାହ ପାଇଁ ସହାୟତା ଯୋଗାଇ ଦେବାକୁ ଓଡ଼ିଶା ମୋ ପରିବାରର ଆବାହକ ପ୍ରତିଶୃତି ଦେଇଥିବା ଜଣାପଡିଛି |