ଓଡ଼ିଶାର କୋଣ ଅନୁକୋଣରେ ଖୁବ ସୁନ୍ଦର ସୁନ୍ଦର ପର୍ଯ୍ୟଟନସ୍ଥଳୀ ରହିଛି | କିନ୍ତୁ ପ୍ରଚାର ପ୍ରସାର ଅଭାବରୁ ସେଗୁଡିକ ଅବହେଳିତ ହୋଇରହିଛି | ସେହିଭଳି ବଲାଙ୍ଗୀର ଜ଼ୀଲ୍ଲା ଦେଓଗାଁ ବ୍ଲକ ସ୍ଥିତ ଭୀମଡୁଙ୍ଗୁରି ପର୍ଯ୍ୟଟନ ସ୍ଥଳୀ ବହୁ ବର୍ଷ ଧରି ଅବହେଳିତ ହୋଇ ରହିଥିଲା | କିନ୍ତୁ ଜିଲ୍ଲା ପ୍ରଶାସନ ଏବଂ ବଲାଙ୍ଗୀର ଜନ ପ୍ରତିନିଧିଙ୍କ ଉଦ୍ୟମରେ ଆଜି ଭୀମଡୁଙ୍ଗରି ପାହାଡ଼ ବିଧିବଦ୍ଧ ଭାବରେ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଛି | ଏହି ଅବସରେ ପର୍ଯ୍ୟଟ ସ୍ଥଳୀରେ ଅବସ୍ଥିତ ଜଳାଶୟରେ ଆଜି ନୌକା ବିହାର ସୁବିଧା ଉଦଘାଟନ ହୋଇଛି । ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଆଜି ଏହାକୁ ଉଦ୍ଘାଟନ କରିଛନ୍ତି । ଏହି ପରିପେକ୍ଷୀରେ ବିଧାୟକ ନରସିଂହ ମିଶ୍ର ନୌକା ବିହାରର ମଜା ନେଇଥିଲେ |
ଦେଓଗାଁ ବ୍ଲକ ସ୍ଥିତ ଭୀମଡୁଙ୍ଗୁରି ପର୍ଯ୍ୟଟନସ୍ଥଳୀ ବଲାଙ୍ଗୀର ବନ ବିଭାଗର ତଦାରଖରେ କରାଯାଉଛି | ପର୍ଯ୍ୟଟନସ୍ଥଳୀର ବିକାଶ ହେଲେ ସ୍ଥାନୀୟ ଅଞ୍ଚଳର ଉର୍ନତି ହୋଇପାରିବ ବୋଲି ଆଲୋଚନା ହେଉଛି | ଏଥିସହିତ ସ୍ଥାନୀୟ ଅଞ୍ଚଳକୁ ଯାତାୟତ, ଗମନାଗମନ ବୃଦ୍ଧି ହେବା ସହ ସ୍ଥାନୀୟ ଲୋକଙ୍କ ଜୀବନ ଜୀବିକା ପାଇଁ ନୂଆ ରାହା ସୃଷ୍ଟି କରିବ । ଏହାବ୍ୟତୀତ ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ବିକାଶ ହୋଇପାରିବ ବୋଲି ନରସିଂହ ମିଶ୍ର ପ୍ରକାଶ କରିଛନ୍ତି । ସବୁଠୁ ବଡ଼ କଥା ହେଲା ଉକ୍ତ ପ୍ରକଳ୍ପ ପାଇଁ 7 କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ 2କୋଟି ଟଙ୍କା ବ୍ୟୟ ଅଟକଳର କାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି । ଆଗାମୀ ଦିନରେ ଆହୁରୀ ଅନେକ ବିକାଶମୁଳକ ପଦକ୍ଷେପ ନେବା ସହିତ ଏଠାରେ ଏକ ହରିଣ ଉଦ୍ୟାନ ମଧ୍ୟ କରାଯିବା ନେଇ ଯୋଜନା ରହିଥିବା ବିଧାୟକ ମିଶ୍ର ସୂଚନା ଦେଇଛନ୍ତି ।