ହୁହୁ ହୋଇ ବଢିଚାଲିଛି କରୋନା । ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଥରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହଜାରେ ପାର୍ କରିଛି। । ଗତ ୨୪ ଘଣ୍ଟାରେ ରାଜ୍ୟରେ ଦିନକରେ ୧୨୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ୨ କରୋନା ଆକ୍ରାନ୍ତ ଆଖି ବୁଜିଥିବା ଜଣାଯାଇଛି। ରାଜଧାନୀ ଭୁବନେଶ୍ୱରରେ ସଂକ୍ରମଣ ମାମଲା ବଢ଼ିବା ସହ କଣ୍ଟେନମେଣ୍ଟ ଜୋନ୍ ସଂଖ୍ୟା ବଢ଼ୁଛି । ଆଜି ଆଉ ୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରିଛି ବିଏମସି । ସମସ୍ତ କଣ୍ଟେନମେଣ୍ଟ ୭ ଦିନ ପାଇଁ ବଳବତ୍ତର ରହିବ । ଗତକାଲି ଏକାଧିକ ପୋଲିସ କର୍ମଚାରୀ କୋଭିଡ୍ ସଂକ୍ରମିତ ହେବା ପରେ ଭୁବନେଶ୍ୱର ଡିସିପି ଅଫିସକୁ ସିଲ୍ କରାଯାଇଥିଲା । ସେହିଭଳି ଜଟଣୀ ସ୍ଥିତ ନାଇଜର ଇନଷ୍ଟିଚ୍ୟୁଟରେ ୩୧ ଜଣ ଛାତ୍ରଛାତ୍ରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନାଇଜରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଜଟଣୀ ପୌର ପରିଷଦ ।
ଆଜି ବାପୁଜୀନଗରର ପ୍ଲଟ ନମ୍ବର ୬୦, ସତ୍ୟନଗରର ପ୍ଲଟ ନମ୍ବର ୧୨୦ (ବି), ଆଚାର୍ଯ୍ୟ ବିହାରର ପ୍ଲଟ ନମ୍ବର ୧୪୧୯ (ଏ), ଟଙ୍କପାଣି ରୋଡ ବିଷ୍ଣୁ ନଗରର ପ୍ଲଟ ନମ୍ବର ୧୧୪୭ ଓ ଆଚାର୍ଯ୍ୟ ବିହାରର ପ୍ଲଟ ନମ୍ବର ଏଲ୍୩/୬୫କୁ କଣ୍ଟେନମେଣ୍ଟ ଘୋଷଣା କରିଛି ବିଏମସିର ଦକ୍ଷିଣ ପୂର୍ବ ଜୋନ । ସଂକ୍ରମଣ ବୃଦ୍ଧି ପରେ ଏ ପଦକ୍ଷେପ ନିଆଯାଇଥିବା ଜୋନାଲ ଡେପୁଟି କମିଶନର ମହେନ୍ଦ୍ର କୁମାର ବଢ଼େଇ ସୂଚନା ଦେଇଛନ୍ତି ।
ଏହି ୧୨୧୬ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୫୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୮୦, ଯାଜପୁରରୁ ୪୭, ମୟୂରଭଞ୍ଜରୁ ୪୦, ଝାରସୁଗୁଡ଼ାରୁ ୩୩, କେନ୍ଦୁଝରରୁ ୨୫, ନବରଙ୍ଗପୁର, ଝାରସୁଗୁଡ଼ାରୁ ୧୩ ଲେଖାଏ , କେନ୍ଦ୍ରାପଡ଼ାରୁ ୯, ଦେବଗଡ଼ରୁ ୮, ଢେଙ୍କାନାଳ, କଳାହାଣ୍ଡିରୁ ୪ ଲେଖାଏ , ଗଞ୍ଜାମରୁ ୯, ଗଜପତିରୁ ୧, କୋରାପୁଟରୁ ୩, ନବରଙ୍ଗପୁରରୁ ୧୩, ନୟାଗଡ଼ରୁ ୩, ନୂଆପଡ଼ାରୁ ୨, ପୁରୀରୁ ୩୦, ରାୟଗଡ଼ାରୁ ୮, ସମ୍ବଲପୁରରୁ ୯୯, ସୋନପୁରରୁ ୩, ସୁନ୍ଦରଗଡ଼ ଜିଲ୍ଲାରୁ ୧୬୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିଭଳି ଦେଶରେ ମଧ୍ୟ ମହାମାରୀ କରୋନାର ଦୈନିକ ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ଡିସେମ୍ବର ଶେଷ ସପ୍ତାହରୁ ସଂକ୍ରମଣ ବଢ଼ିବା ଆରମ୍ଭ ହୋଇଥିବା ବେଳେ ଆଜି ପ୍ରଥମଥର ପାଇଁ ଏହା ୬୦ ହଜାର ପାଖରେ ପହଞ୍ଚି ଯାଇଛି। ଦିନକରେ ୫୮ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୩୪ ଜଣ ଜୀବନ ହରାଇଛନ୍ତି।