ପୁରୀ ଶ୍ରୀମନ୍ଦିରରେ ଦେଖିବାକୁ ମିଳିଛି ରକ୍ତଛିଟା । ଶ୍ରୀମନ୍ଦିର ଜୟବିଜୟ ଦ୍ୱାର ନିକଟରେ ଜଣେ ଭକ୍ତଙ୍କ ରକ୍ତଛିଟା ପଡ଼ିଥିବା ଦେଖିବାକୁ ମିଳିଥିଲା | ଫଳରେ ଶ୍ରୀଜିଉଙ୍କର ମହାସ୍ନାନ ନୀତି କରାଯାଇଥିଲା । ମହାସ୍ନାନ ନୀତି ଯୋଗୁଁ ଦୀର୍ଘ ସମୟ ଧରି ବନ୍ଦ ରହିଥିଲା ଶ୍ରୀଜିଉଙ୍କ ଦର୍ଶନ। ନୀତି ସମ୍ପୂର୍ଣ୍ଣ ହେବା ପରେ ପୁଣି ସାଧାରଣ ଭକ୍ତଙ୍କୁ ଦର୍ଶନ ପାଇଁ ଛଡ଼ାଯାଇଛି ।
ଗତକାଲି ରବିବାର ଦର୍ଶନ ବନ୍ଦ ରହିଥିବାରୁ ଆଜି ପ୍ରତ୍ୟୁଷରୁ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗି ରହିଥିଲା | ମନ୍ଦିରରେ ରକ୍ତଛିଟା ଦେଖିବା ପରେ ଘଣ୍ଟାଏରୁ ଊର୍ଦ୍ଧ୍ୱ ସମୟ ଧରି ନୀତିରେ ବିଳମ୍ବ ହୋଇଥିଲା। ମନ୍ଦିର ଧୁଆ ଯାଇ ଚୁନ ପାଣି ଛିଞ୍ଚା ଯିବା ପରେ ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା । ଫଳରେ ସାଧାରଣ ଦର୍ଶନ ବନ୍ଦ ରହିଥିଲା | ଖରା ସହ ପ୍ରବଳ ଭିଡ ଯୋଗୁଁ ବଡ଼ଦାଣ୍ଡରେ ହଟହଟା ହୋଇଥିଲେ ଭକ୍ତ । ପ୍ରାୟ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ଭକ୍ତଙ୍କ ଲାଗିଥିଲା ଲମ୍ବା ଲାଇନ । ପରମ୍ପରା ଅନୁସାରେ ଶୀମନ୍ଦିର ଗର୍ଭଗୃହରେ ରକ୍ତ ଛିଟା ଦେଖିଲେ ଠାକୁରଙ୍କ ମହାସ୍ନାନ ନୀତି ହୋଇଥାଏ। ଜୟବିଜୟ ଦ୍ୱାରରେ ଥିବା ଭିତର କାଠ ନିକଟରେ ଭକ୍ତଙ୍କ ରକ୍ତ ଛିଟା କେଉଁଠୁ ଆସିଲା ତାହା ସ୍ପଷ୍ଟ ହୋଇନାହିଁ ।